ପ୍ରତିଜ୍ଞାବଦ୍ଧ
ପ୍ରତିଜ୍ଞାବଦ୍ଧ
ପ୍ରତିଜ୍ଞା କରିବା ବଡ କଥା ନୁହେଁ
ପାଳନର କଥା ବଡ
ଓହରି ଯାଏନି ଯେତେ କଷ୍ଟ ହେଉ
ଆସୁ ପଛେ ଯେତେ ଝଡ ।
ସର୍ବଦା ତାହାର ଖିଆଲ ରଖଇ
ହୁଏ ସେ ବଚନ ବଦ୍ଧ
ନିଜକୁ ଉତ୍ସର୍ଗ କରି ରକ୍ଷାକରେ
ହୋଇ ସେ ପ୍ରତିଜ୍ଞାବଦ୍ଧ ।
ନିଜ ଖୁସିକୁ ସେ ବଳି ଦେଇ ଦିଏ
ପ୍ରତିଜ୍ଞାବଦ୍ଧ ହୋଇ
ସର୍ବଦା ନିଜର ପ୍ରତିଜ୍ଞାର ଟେକ
ରଖିଥାଏ ଧ୍ୟାନ ଦେଇ ।
ପରିସ୍ଥିତି ଯେତେ ଗୁଢ ହେଉ ପଛେ
ନା ସେ ଓହରି ଯାଏ
ଯେତେ ବାଧାବିଘ୍ନ ଜୀବନରେ ଆସୁ
ନା ସେ ଅଟକି ଥାଏ ।
ସବୁ ଦୁଃଖ କଷ୍ଟ ଆପଣେଇ ସିଏ
ପ୍ରତିଜ୍ଞାକୁ ପାଳିଥାଇ
ଇତିହାସ ଠାରୁ ପୁରାଣ ପୋଥିରେ
ଅଛି ଲିପିବଦ୍ଧ ହୋଇ ।
ରାଜା ଦଶରଥ ପ୍ରତିଜ୍ଞାବଦ୍ଧତେ
କୈକେୟୀଙ୍କୁ ବର ଦେଲେ
ରାମ ବନବାସ କଷ୍ଟ ଭାବି ଭାବି
ପ୍ରାଣତ୍ୟାଗ ସେ କରିଲେ ।
ପିତୃ ହତ୍ୟାପରେ କ୍ରୋଧେ ପର୍ଶୁରାମ
ପ୍ରତିଜ୍ଞାବଦ୍ଧତା ହେଲେ
ପର୍ଶୁ କୁଠାରକୁ ହସ୍ତରେ ସେ ଘେନି
କ୍ଷତ୍ରିୟ ବଂଶ ନାଶିଲେ ।
ପ୍ରତିଜ୍ଞାବଦ୍ଧତା ହୋଇଣ ଶାନ୍ତନୁ
ଗଙ୍ଗାକୁ ବିବାହ କଲେ
ପ୍ରତିଜ୍ଞାରୁ ଯେବେ ଶାନ୍ତନୁ ହଟିଲେ
ଗଙ୍ଗା ଚାଲି ଯାଇଥିଲେ ।
ପ୍ରତିଜ୍ଞାବଦ୍ଧତା ହୋଇ ଦେବବ୍ରତ
ଅବିବାହିତ ରହିଲେ
ହସ୍ତିନା ସୁରକ୍ଷା କବଚ ସାଜି ସେ
ଭୀଷ୍ମ ନାମକୁ ବହିଲେ ।
ପ୍ରତିଜ୍ଞାବଦ୍ଧତା ହୋଇଥିବାରୁ ସେ
କୌରବଙ୍କ ସାଥୀ ହେଲେ
ଶେଷେ ଅନ୍ୟାୟର ଅନୁତାପେ ଜଳି
ଶରଶଯ୍ୟାରେ ଶୋଇଲେ ।
ନିଜ ବଂଶ ମୃତ୍ୟୁ ଆଖିରେ ଯେ ଦେଖି
ଶକୁନି ପ୍ରତିଜ୍ଞାବଦ୍ଧ
ଛଳନା କପଟେ କୌରବ ବଶଂକୁ
କରାଇଥିଲେ ସେ ବଦ୍ଧ ।
କୁରୁସଭା ତଳେ ବସ୍ତ୍ର ହରଣରେ
ଦ୍ରୌପଦୀ ପ୍ରତିଜ୍ଞା କଲେ
ଦୁଃଶାସନ ବାହୁ ଉତ୍ପାଟନ ରକ୍ତେ
କେଶକୁ ସେ ବାନ୍ଧିଥିଲେ ।
ଧାଈ ପାନ୍ନା ନିଜ ପୁତ୍ର ବଳିଦେଇ
ରାଜପୁତ୍ର ବଞ୍ଚାଇଲେ
ଇତିହାସରେ ସେ ସ୍ବର୍ଣାକ୍ଷରରେ
ସବୁ ହୃଦୟେ ରହିଲେ ।
ସତୀ ଅନସୂୟା ପତି ପ୍ରାଣ ପାଇଁ
ପ୍ରତିଜ୍ଞାବଦ୍ଧତା ହେଲେ
ଏକ ରାତିକୁ ସେ ସପ୍ତ ରାତି କରି
ବିଶ୍ୱକୁ ଥରାଇ ଦେଲେ ।
ପ୍ରତିଜ୍ଞାବଦ୍ଧତା ହୋଇ ଉଦ୍ଦାମ ସିଂ
ଡାୟାରକୁ ମାରିଦେଲେ
ଭାରତ ମାତାର ଟେକ ରଖି ସିଏ
ଚିର ସ୍ମରଣୀୟ ହେଲେ ।
ପ୍ରତିଜ୍ଞାକୁ ଯଦି ରଖି ନପାରିବ
ପ୍ରତିଜ୍ଞାବଦ୍ଧ ନ ହୁଅ
ପ୍ରତିଜ୍ଞାବଦ୍ଧତା ହେଉ ଅଛ ଯଦି
ଓହରି କେବେ ନ ଯାଅ ।
ଲୋକ ଦେଖାଣିଆ ପ୍ରତିଜ୍ଞା କରିଣ
ଲୋକହସା ହୁଅ ନାହିଁ
ମରଣଠୁ ବଳି ମାନହାନୀ ହୁଏ
ମନେ ରଖିଥିବ ତହିଁ ।
ଭାବି ଚିନ୍ତି ପ୍ରତିଜ୍ଞାକୁ କରୁଥିବ
ଯେମିତି ରଖି ପାରିବ
ତେବେ ଯାଇ ସିନା ପ୍ରତିଜ୍ଞାବଦ୍ଧତା
ନାମ ସାର୍ଥକ ହୋଇବ ।
ପ୍ରତିଜ୍ଞାବଦ୍ଧତା ହେବା ଚାଲ ଆମେ
କରିବା ବୃକ୍ଷ ରୋପଣ
ଓଡିଆ ଭାଷାର ମହତ୍ତ୍ଵ ରଖିବା
ରଖିବା ଓଡିଆ ଟାଣ ।
