ପ୍ରଶ୍ନବାଚୀ
ପ୍ରଶ୍ନବାଚୀ
ଆପଣଙ୍କୁ ଆପଣମାନଙ୍କୁ
ପାଞ୍ଚଟି ପ୍ରଶ୍ନ ମୋର
ଉତ୍ତର ଦେବେ
ମହୋଦୟ ସମୀପେଷୁ
ରହିବେନି ନିରୁତ୍ତର ।
ଥକିଲିଣି ଥକି ଗଲିଣି
ଖୋଜି ଖାଜି
ତର୍କ ବିତର୍କ ପରେ ବି
କପାଳ ପୋଛି ପାଛି
ବସିଛି ଆଉଜି ।
ଘାଣ୍ଟି ଦରାଣ୍ଡି
ବହି ପୋଥି ପଢି ସାରିବା ପରେ ବି
ଅଣ୍ଡାଳି ଉଣ୍ଡାଳି
ମୁଣ୍ଡ ବିନ୍ଧି ପରାସ୍ତ ହେଲା ପରେ ବି
ଅନ୍ଧୁଣି ବସେଇଛି
ଧରିବି ବାଳିଆ କରାଣ୍ଡି ।
ପ୍ରଶ୍ନବାଣ ଆଜି ବି ପ୍ରଶ୍ନବାଚୀ
କରବଦ୍ଧ ଅନୁରୋଧ
ରହିଲା ରାଣ
ନିରାଶା କରିବେନି ଭାଷା ଦଧିଚି
ଅଭିଲାଷା ହେଉ ପୂରଣ
ସମର୍ଥ ଉବାଚୀ ।
ମେଘ ବରଷିଲେ
ଛତା ଖୋଜା ପଡ଼େ
ଆଖି ବରଷିଲେ
କ'ଣ କରାଯାଇ ପାରିବ ?
ଘରପୋଡି ପାଇଁ
ଏଲଆଇସି ବୀମା ଲୋଡ଼ା ପଡ଼େ
ସ୍ୱପ୍ନ ଜଳି ପୋଡି ପାଉଁଶ ହୋଇଗଲେ
କ'ଣ କରାଯାଇ ପାରିବ ?
ଶ୍ୱାନ-ଶ୍ଵାପଦ ହେଣ୍ଟାଳିଲେ
ଦୌଡିବା ଶେଷ ଅସ୍ତ୍ର ପ୍ରାଣ ବିକଳରେ
ଗର୍ବ-ଅହଁଙ୍କାର ହୁଙ୍କାରିଲେ
କ'ଣ କରାଯାଇ ପାରିବ ?
ପାଦରେ କଣ୍ଟା ଫୋଡିଗଲେ
ବାହାର କରିବା ଜରୁରୀ ପଡ଼େ
କଟୁ କଥା ଫୋଡିଗଲେ
କ'ଣ କରାଯାଇ ପାରିବ ?
ରୋଗ ପାଇଁ ଔଷଧ
ଦରକାର ପଡ଼େ
ମର୍ମଥରା ବେଦନା ହେଲେ
କ'ଣ କରାଯାଇ ପାରିବ ?