ପ୍ରଶ୍ନ
ପ୍ରଶ୍ନ
ନିଜ ଭିତରେ ଉଠିଥିବା ପ୍ରଶ୍ନଟିକୁ
କଷାକଷି କରି ସମାଧାନ କଲା ବେଳକୁ
ଉଙ୍କିମାରେ ଅନ୍ୟ ଏକ ପ୍ରଶ୍ନ ।
ଥରେ ଭାବିଲେ କଠିନ
ପୁଣି ଥରେ ଭାବିଲେ ସହଜ
ବାରମ୍ବାର ପ୍ରଶ୍ନ ପଢି ଉତ୍ତର ପ୍ରସ୍ତୁତ କରିବା ବେଳକୁ
ମୁଁ ହୋଇଯାଇଥାଏ ଅବୁଝା ।
ନିଜକୁ ପଚାରେ
ଏତେ ପ୍ରଶ୍ନ କାହିଁକି ?
ପୁଣି ଉତ୍ତର ପାଏ
ଜୀବନଟା କଣ ଏତେ ଅଲୋଡା
ତେବେ ପ୍ରଶ୍ନ ଆସିବା ସ୍ୱାଭାବିକ ।
ଅଣନିଃଶ୍ଵାସୀ ହୋଇଯାଏ ପ୍ରଶ୍ନ ଭିତରେ
ମସ୍ତିସ୍କର ସମସ୍ତ ବୁଦ୍ଧି ବିଚାର
ପ୍ରୟୋଗ କରି ସିଦ୍ଧାନ୍ତରେ ପହଞ୍ଚିବାକୁ ଚେଷ୍ଟା କରି
କେବେ ହୁଏ ବିଫଳ
କେବେ ପୁଣି ସମାଧାନର ସୂତ୍ରଟିଏ ପାଇ
ନାଚିଉଠେ ଖୁସିରେ ।
ପ୍ରଶ୍ନର ପରଦା ଆଡେଇ ଚାହେଁ ଜୀବନକୁ
ଆହା କେତେ ସୁନ୍ଦର !
ସହିପାରେନା ବୋଧ ହୁଏ ଭାଗ୍ୟ
ପୁଣି ମୋ ସମ୍ମୁଖରେ ଆଉ ଏକ ପ୍ରଶ୍ନ ।
ପ୍ରଶ୍ନ ନା ଗୋଲକଧନ୍ଦା ।
ଘଣ୍ଟା ଘଣ୍ଟା ଆତ୍ମାନୁଶୀଳନ ପରେ
ହୋଇଯାଏ ହତୋତ୍ସାହ
ଭାଙ୍ଗିଯାଏ ମନ
ବିଳପି ଉଠେ ହୃଦୟ ।
ପ୍ରଶ୍ନଟିଏ ସ୍ୱତଃ ମୁଣ୍ଡଟେକି ଅନାଇଥାଏ
ସେଇ ପ୍ରଶ୍ନ ଭିତରେ ମୁଁ ପୁଣି ହଜିଯାଏ
ମୁକ୍ତ ଆକାଶରେ ଉଡ଼ିବୁଲୁଥିବା ପକ୍ଷୀର ଠିକଣା ଖୋଜିବାକୁ ।
