ପ୍ରଜାପତି
ପ୍ରଜାପତି
ରଙ୍ଗ -ରଙ୍ଗ କି ନେଳି- ନେଳି
ସୁନ୍ଦର ଦିଶେ ଭଳିକି ଭଳି,
କେଉଁ ଚିତ୍ରକର ଆଙ୍କିଛି
ହାତରେ ଧରି ସେ ସରୁ ତୂଳୀ l
କି ସୁନ୍ଦର ତୋ ତନୁ କାନ୍ତି
ନାନା ରଙ୍ଗେ ହେଉ ସଜେଇ,
ଯିଏ ତୋତେ ଥରେ ଦେଖିଲା
ମନୁ ତାର ଭୁଲି ନ ପାରଇ l
କଳାକୁ ନେଳି ପର ଦେହେ
ଟୋପି ଟୋପି କେତେ ସରୁ ଚିତା,
ତୋ ଛବିକୁ ଦେଖିଦେଲେ
ନ ପଡ଼ଇ ମୋର ଆଖିପତ l
ଇଛା ହୁଅଇ ଧରିବାକୁ
ତୋ କୋମଳ ସୂକ୍ଷ୍ମ ପରକୁ,
ଛପି ଛପି ଯାଏ ମୁହିଁ
ଏ ବୁଡ଼ାରୁ ସେ ବୁଦାକୁ ।
ତୋତେ ଧରିବାକୁ ଗଲେ
ଉଡିଯାଉ ବହୁ ଦୂରକୁ,
ତୋ ପଛେପଛେ ଧାଇଁ
ଖୋଜୁଥାଏ ମୁଁ ଧରିବାକୁ l
ତୋ ରୂପରେ ହୋଇ ଖୁସି
ହେଲେ ନ ପାରେ ତୋତେ ଧରି,
ଧାଇଁ ଧାଇଁ ହାଲିଆ ମୁଁ
ତୋ ପଛେ ମୁଁ ଗୋଡ଼ାଇ କରି l
ସୁନା ମୃଗକୁ ଯେପରି
ଗୋଡାଉଥିଲେ ରଘୁପତି,
ତୋତେ ଧରିବା ପାଈଁ ମୁଁ
ଧାଉଁ ଅଛିରେ ପ୍ରଜାପତି l
କେତେ କଣ୍ଟା ଖୁଞ୍ଚ ସବୁ
ପସିଛି ମୋର ଦୁଇ ଗୋଡ଼ରେ,
ରକତ ଗୋଡ଼ରୁ ବହୁଛି
ତଥାପି ଧାଉଁଛି ତୋ ପଛରେ l
ସକାଳୁ ଧାଇଁ ତୋ ପଛେ
ଏବେ ସଂଧ୍ୟା ଯେ ହେଲାଣି ,
ଥରୁଟେ ଧରା ଦେ ମୋତେ
ଭୋକ ଭାରି ଲାଗିଲାଣି l
ଫୁଲରୁ ମହୁ ତୁ ଖାଉ
ମାଗିଲେ ଟିକିଏ ଦେଉନୁ,
ଭୋକରେ ମରୁଛି ମୁହିଁ
ଦୁଃଖ ମୋର ଜମା ଶୁଣୁନୁ l
କେଡେ ସ୍ୱାର୍ଥପର ତୁହି
ଦେଉନୁ ଟିକିଏ, ମାଗିଲେ
ଫୁଲରୁ ଯେତେ ମହୁ ଖାଉଛୁ
ଶୁଣୁନୁ ଜମାରୁ ଡାକିଲେ l
ବାପା ମାଆ ମୋର ମୋ ଖୋଜୁଥିବେ
ପାଖରେ ନ ପାଇ ସେମାନେ
ଧରିବା ନିଶାରେ ପଶିଲି
ବଡ଼ ଭୟଙ୍କର କାନନେ l
ମାଆ ମୋର ଖୋଜୁଥିବେ
ନ ପାଇ ହୋଇ ବାୟାଣୀ,
ୟାକୁ, ତାକୁ ପଚାରୁ ଥିବ
ମୋର ଡେରି ହେବାର ଶୁଣି l
ବିଦ୍ୟାଳୟକୁ ଯାଇନାହିଁ
ଖୋଜି ଖୋଜି ମୁଁ ତୋତେରେ,
ଏ ଯାଏଁ ଧରି ପାରିଲିନି
ଧରା ଦେ ଆସି ମୋତେରେ l
ସାଙ୍ଗ ସାଥୀ ପିଲା ମାନେ ମୋର
ସବୁ ଘରକୁ ଫେରିବେଣି,
ମୋତେ ନ ପାଇ ମୋ ମାଆ
ହୋଇ ଯାଇ ଥିବ ବାୟାଣୀ l
ମୋର ଦୁଃଖ ଟିକେ ଶୁଣେରେ
ଆରେ ନିଷ୍ଠୁର ପ୍ରଜାପତି,
ତୋତେ ଧରିବା ପାଇଁ ମୁହିଁ
ହେଉଛି କାକୁତି ମିନତି l
ଧରା ନିଶା ମୋ ଛାଡିଗଲା
ଯାଉଛି ତୋତେ ମୁଁ ଛାଡ଼ିରେ,
ମାଆ ଠାରୁ ପାନେ ଖାଇବି
ଘରକୁ ଗଲେ କୟାଁ ବାଡ଼ିରେ l
କେବେ ତୁ ଉଡି ଆସିବୁ
ଆମର ଫୁଲ ବଗିଚାକୁ,
ଫୋଟ ଉଠାଇ ରଖିଥିବି
ନ ଭୁଲି ମୁଁ ଚିର ଦିନକୁ l
