ପ୍ରିୟା
ପ୍ରିୟା
ଆସ ଯେବେ ପ୍ରିୟା
ମେଘ ସବାରିରେ
ବର୍ଷାରାଣୀ ଯାଏ ରୁଷି ,
ଛମ ଛମ ତୁମ
ପାଉଁଜୀର ସ୍ବର
ତା'ଠୁ ମଧୁର ବେଶି ।
ପୁଚ୍ଛ ଟେକି କେକୀ
ଯେତେ ନାଚିଲେ ବି
ବରଷା ଝରେନି ଆହେ ,
ତୁମେ ରୁଷି ଗଲେ
ମେଘ ଘୋଟି ଯାଏ
ଅଦିନିଆଁ ଝଡ଼ ବହେ ।
ଚାଲି ଯାଉ ଥିଲେ
ଗଜଗମନରେ
ଭ୍ରମଣ ଭୁଲନ୍ତି ନାୟିକା ,
ଚାହିଁ ଦେଉ ଥିଲେ
ମୃଗନୟନରେ
ମୃଗ ହେଇଯାନ୍ତି ଜଳକା ।
କଥା କହୁ ଥିଲେ
ମଧୁମକ୍ଷି ସମ
ବଂଶୀ ସ୍ବନ ଲାଗେ ବେସୁରା ,
ଲାଜବତୀ ଯେତେ
ଲାଜ ଭୁଲି ଗଲେ
ଦେଖି ତୁମ ଲାଜ ପସରା ।
ଅବର୍ଣ୍ଣନୀୟ ଗୋ
ବର୍ଣ୍ଣାଳୀ ତୁମେ
ବର୍ଣ୍ଣମାଳା ହୁଏ ନିଅଣ୍ଟ ,
ପ୍ରିୟା , କେମିତି ବର୍ଣ୍ଣିବି କୁହ ତ ।

