ପ୍ରିୟା-୪୨
ପ୍ରିୟା-୪୨
ଋତୁମତୀ ନାରୀ ଚାହେଁ ଫେରି ଫେରି
ମନେ ମନେ ଭାବେ ତୁମଠୁ ସୁନ୍ଦରୀ
ଯେଣୁ, ଋତୁବାସେ ବାସ ଛୁଟେ,
ନବ ଯଉବନା ହୁଏ ଆନମନା
ଘଡ଼ି ଘଡ଼ି ଯାଇ ଦେଖୁଛି ଆଇନା
ଯେଣୁ, ସଜ ମଲ୍ଲୀ ମୁଖେ ଫୁଟେ ।
ନବ ବିବାହିତା ପିନ୍ଧୁନି ଅଳତା
ଫିଙ୍ଗି ଦିଏ କାଢ଼ି କ୍ରୋଧେ ଅଣ୍ଟା ସୂତା
ଦିଶେ, ବେକ, ହାତ ଖାଲି ଖାଲି,
ନୂଆ ଭୁଆସୁଣୀ ଦିଏନି ଓଢ଼ଣୀ
ସୀମନ୍ତେ ସିନ୍ଦୂର ଫିକା ଦିଶିଲାଣି
ବୁଲେ, ନୁଖୁରା କେଶକୁ ଖୋଲି ।
ସ୍ବର୍ଗ ଅପସରୀ ଗଲେ ଅପସରି
ଶତ ଚେଷ୍ଟା କରି ଯାନ୍ତି ହାରି ହାରି
ଦେହେ, ପରାଜିତ ଗ୍ଳାନି ବୋଳି,
ତମେ ଆସ ବୋଲି ମେଘ ଭାସେ ନାହିଁ
ଭଲ ଦିଶ ବୋଲି ତାରା ହସେ ନାହିଁ
ହସେ ନାହିଁ ଜହ୍ନ ମୁହଁ ଖୋଲି ।
ତମେ, କର୍ଦମଙ୍କ କନ୍ୟା ଅରୁନ୍ଧତୀ
କୁହ, ପାଇବି ତୁମକୁ ମୁଁ କେମିତି ?

