ପ୍ରୀତିଛନ୍ଦା
ପ୍ରୀତିଛନ୍ଦା
ପ୍ରୀତିଛନ୍ଦା ଏମିତିରେ ତୁମେ ଥରେ ପଚାରିଥିଲନା,
ସବୁ ନଈର ଶେଷ ରାସ୍ତା କ'ଣ ସମୁଦ୍ରରେ ସରିଯାଏ,
ଲୁହ ସବୁ ଝରିଗଲା ପରେ,
ସେମାନେ କଣ ପାଆନ୍ତି ପୂର୍ଣ୍ଣତା ,
ରାତିର ଅନ୍ଧାରର ନିବିଡ଼ତା କଣ ପ୍ରେମଠାରୁ ଅଧିକ ଗହଳ,
ପୁଣି ପଚାରିଥିଲ ତାରା ମେଳେ ଜହ୍ନ କ'ଣ ଖୁସିରେ ଅଛି,
ଏମିତି କେତେ କଣ କ'ଣ !
କିଛି ବୁଝି ବୁଝାଇଥିଲି ମୋର ସାଧ୍ୟମତେ,
ଆଉ କିଛିରେ ରହିଥିଲି ଚୁପ ଚାପ,
ଜାଣେନା ଏମିତି କେମିତି ପ୍ରଶ୍ନ ଆସେ ତୁମ ମୁଣ୍ଡକୁ !
ଯୋଉଠି ମୁଁ ଦେଖେ ଧ୍ୱଂସ,
ତୁମେ କିନ୍ତୁ ଦେଖ ସେଠି ନୂଆ ଏକ ସର୍ଜନାର ବୀଜ,
ପାଣି ପବନ ଭୂମି ଏସବୁକୁ ଦିଅ କଳ୍ପନାର ରଙ୍ଗ,
ବାଇଆ ଚଢେଇ ବି ଲାଜକରେ ତୁମପାଖେ,
ତୁମେ କେତେ ସରଳରେ ଛନ୍ଦିପାର ଜୀବନର ଅଙ୍କାବଙ୍କା ରେଖାକୁ ।
ପ୍ରୀତିପର୍ଣ୍ଣା ଆଜି ତୁମଠୁ ବହୁ ଦୂରରେ,
ହୁଏତ ହାତ ବଢ଼ାଇଲେ କି ଆଖିରେ ଚାହିଁଲେ,
ପହଂଚିପାରିବନି ମୋଠି,
ଅନେକ ସମୟରେ ଲାଗେ ତୁମେ ଠିକ ଥିଲ,
'ମୁଁ'ରୁ 'ମୁଁ'ତ୍ୱକୁ ତୁମର ଲକ୍ଷ୍ୟ ଥିଲା,
ନିଶାରୁ ନିଶାଚର, ବ୍ରହ୍ମରୁ ପରମବ୍ରହ୍ମ, ସ୍ଥୂଳରୁ ସୁକ୍ଷ୍ମକୁ ତୁମର ଯାତ୍ରା,
ଆଜି କିନ୍ତୁ ଠିକ ବୁଝି ପାରୁଛି,
ପ୍ରତି ଜଳକଣାରେ ତୁମେ କେମିତି ଦେଖୁଥିଲ ନୂଆ ସମ୍ଭାବନାକୁ,
ଫୁଲ ଓ ପ୍ରଜାପତିର ନୈସର୍ଗିକ ସମ୍ପର୍କକୁ ।
ଆଗଭଳି ଆଉ ଅବୁଝା ହୁଏନି ମନ,
ମିଛ ମାୟାରେ ବନ୍ଧ ବାନ୍ଧିବାକୁ ,
ଧିରେ ଧିରେ ଗୋଟେ ପରେ ଗୋଟେ ଫିଟିଚାଲିଛି ଅନ୍ଧପୁଟୁଳି,
ସମୟର ଯାହା ନେବାରେ ଥିଲା ନେଇସାରିଛି,
ଶୋଇଛି ଆଜି ସେ ଶୀତ ସୁପ୍ତିରେ,
ମୁଁ ଆଜି ନିଶ୍ୱ !
ତଥାପି ମୁଁ ଖୁସି ତୁମର ସ୍ମୃତି ଟିକକୁ ସାଥିରେ ନେଇ ।।