ପ୍ରୀତି ସୁମନ
ପ୍ରୀତି ସୁମନ
ତୁମ ସ୍ମରଣରେ ନିର୍ଜିବ ନିଶିଥ
ପାଇଯାଏ ଜୀବନ୍ୟାସ
ତୁମପାଇଁ ସଖୀ ଅନ୍ଧାର ଓଠରେ
ଫୁଟେ ଆଲୁଅର ହସ I
ତୁମ ଆକାଶରେ ଜହ୍ନ ଉଇଁଗଲେ
ଜୋଛନା ମୋ ଦେହ ଛୁଏଁ
ତୁମରି ହସରେ ବିଜୁଳି ଚମକେ
ମନ ତୁମ ଦିଗେ ଧାଏଁ I
ଗୁନ୍ଥି ରଖିଛି ମୁଁ ପୀରତି କୁସୁମ
ତୁମପାଇଁ ପ୍ରିୟ ସଖୀ
ମୋ ଆଖିରେ ଏଠି ଅନ୍ଧାର ବର୍ଷୁଛି
କିଛି ମୁଁ ପାରୁନି ଦେଖି I
ମାନସ ପଟରେ ଆଙ୍କି ଦେଇଛି ମୁଁ
ତୁମରି ମୋହିନୀ ରୂପ
ତୁମେ ସଖୀ ମୋର ଜୀବନ ପଥରେ
ସୁବାସିତ ପ୍ରୀତିପୁଷ୍ପ I

