ପ୍ରୀତି ଢେଉ
ପ୍ରୀତି ଢେଉ
ଏବେ ଆଉ ବେଳାଭୂଇଁ ରେ
ନ ଥିଲା ସେ ଆକର୍ଷଣ ଅତୀତର
ଫେରି ସାରିଥିଲା ଢେଉ
ଭାଙ୍ଗି ଦେଇ ସପନର ବାଲିଘର ,
ସେ ବସିଥିଲା ଏକା ଏକା
ଆଖି ବନ୍ଦ କରି
ପ୍ରସ୍ତରିଭୂତ ନୀରବତା ଭିତରେ
ସ୍ମୃତି ସବୁ ଭାସି ବୁଲୁଥିଲେ
ବିହ୍ଵଳିତ କରି ଦେବାକୁ
ମନ ତଳ ଅଥଳ ସାଗରେ ,
ତାକୁ ଲାଗିଲା ହଜିଗଲା ତା'ର
ସବୁତକ ନୀଳ ସ୍ବପ୍ନ
ସତେ ଯେମିତି ଭରା ଯଉବନେ
ଫେରି ଯାଇଥିବା ପ୍ରୀତି ଢେଉ
ବାହୁଡିବନି ହୃଦୟର ବେଳାଭୂମିକୁ
ବୋଧହୁଏ ଆଉ କେବେ ତା' ଜୀବନେ ,
ତାକୁ ଜଣାନଥିଲା ସମୁଦ୍ର
ଫେରାଇ ଦିଏ ସବୁ ଉତ୍ତର
ସମୟର ଧୂସର ଢେ଼ଉରେ
ଢେର ଦିନ ପରେ ବୁଝିଲା ସେ ଏକଥା
ବେଳାଭୂଇଁର ଆର୍ଦ୍ର ଚୁମ୍ବନକୁ ଦେଖି
ବାହୁଡି ଆସିଥିବା ପ୍ରୀତି ଢେ଼ଉରେ ..

