ପରିବର୍ତ୍ତନ
ପରିବର୍ତ୍ତନ
ବଦଳିବାର ଏକ ନିଚ୍ଛକ ଅଭିବ୍ୟକ୍ତି
ସମୟକୁ ଜୀବନ୍ତ ସାବ୍ଯସ୍ତ କରିବାର
ଏକ ପ୍ରୟାସ ନିରବଛିନ୍ନ
ଅବା ଆବର୍ତ୍ତନର ପରିଧିରେ ଶୀର୍ଷତାର
ଏକ ବୃଥା ପ୍ରହସନ ।
କେତେବେଳେ ଜୁଆରରେ ଏକ କୂଳରୁ
ଆରକୂଳକୁ ବିସ୍ଥାପନ
ଅବା ପ୍ରଳୟଙ୍କାରୀ ବନ୍ଯାରେ
ଭିଟାମାଟି ଠାରୁ ନିର୍ଯ୍ୟାସନ ।
ମୁଣ୍ଡ ଝାଳ ତୁଣ୍ଡେ ମାରି କଣ୍ଟକିତ ଦୁର୍ଗମ ପଥକୁ
ସଫଳତା ର ସୋପାନରେ ରୂପାନ୍ତରଣ
ଅବା ଖୋଷାମତି କରି ପାରିତୋଷିକରୁ
ରାତାରାତି ରାଜେନ୍ଦ୍ରାସୀନ ।
ଅବଚେତନରୁ ଚେତନାର ସୂକ୍ଷ୍ମ ବିକାଶ
ଚଣ୍ଡାଶୋକରୁ ଧର୍ମାଶୋକ
ଅବା ପାଶବିକ ପ୍ରବୃତ୍ତି ରେ ମତୁଆଲା
କ୍ଷମତାସୀନ ହୋଇ ଶୋଷଣ ର ଜୟଗାନ ।
ଗୋଧୂଳି ର ଦୂର ଦିଗନ୍ତ ରେ ଆଖିପତାତଳେ
ହାଇମାରୁଥିବା କ୍ଲାନ୍ତ କାକୁସ୍ଥ ଜୀବନ
ଅବା ସନ୍ନିକଟ ଦିଗବଳୟ ରେ ସ୍ବର୍ଣ୍ଣାଭ ସୂର୍ଯ୍ୟୋଦୟ
ସ୍ନେହାଁଲ୍ହାଦିତ ଜୀବନର ମାଦକୀୟ ଯୌବନ ।
ସୀମିତ କେବଳ କ୍ୟାଲେଣ୍ଡରରେ ପୃଷ୍ଠା ଉନ୍ମୋଚନ
ଡିସେମ୍ବର ପରେ ନବ ବର୍ଷର ଉଚ୍ଚାଟ ଅଭିନନ୍ଦନ
ଅବା ମରା ରୁ ରାମ, ଉଇ ହୁଙ୍କାରୁ ବାଲ୍ମୀକି
ଦାନବତ୍ବରୁ ଦେବ ତୁଲ୍ଯ ପରିମାର୍ଜନ ।
