ପ୍ରେତାତ୍ମା ଓ କୋଠି
ପ୍ରେତାତ୍ମା ଓ କୋଠି
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଜୀବନ ଯୌବନେ କରିଥିବା ପାପ
ଭୋଗେ ମଣିଷ ଏଠାରେ
ଅଭିଳାଷ ରଖି ମୃତ୍ୟୁରେ ପଡ଼ିଲେ
ପ୍ରେତାତ୍ମା ହୁଏ ଧରାରେ ।
ଘୁରି ବୁଲେ ଆତ୍ମା ଶାନ୍ତି ଟିକେ ପାଇଁ
ଆଶା ଓ ନିରାଶା ନେଇ,
ବିଭିନ୍ନ ବିକୃତି ଆତ୍ମା କରିଥାଏ
ଭୟଙ୍କର ରୂପ ହୋଇ ।
ପାପାତ୍ମା ପାପିଷ୍ଠ ପାପୟସୀ ହୋଇ
ପାପ ଭାରେ ଘାଣ୍ଟି ହୁଏ,
ପାତକ କରିଣ ପ୍ରେତାତ୍ମା ହୁଏ ସେ
ପାତାଳେ ସ୍ଥାନ ନ ପାଏ ।
ମଣିଷ ଜୀବନ ପାଇଅଛି ବୋଲି
ତୁଚ୍ଛା ଟାରେ ଗର୍ବେ ମରେ,
ସରା କୁ ଧରା ସେ ମଣିଥାଏ ଏଠି
ଜାଣି ଜାଣି ପାପ କରେ ।
ପାଶବ ପ୍ରକୃତି ପାଷଣ୍ଡର ପରି
ପଶୁ ହତ୍ୟା କରିଥାଏ,
ପାପର ପିଧାନେ ଭଲମନ୍ଦ ସବୁ
ଗର୍ବ କରି ଭୁଲି ଯାଏ ।
ପିଚ୍ଛିଳ ପଥରେ ମରିଚିକା ପଛେ
ଧାଇଁ ଯାଏ ସବୁ ବେଳେ,
ମରଣର ପରେ ପ୍ରେତାତ୍ମା ହୋଇଣ
ପୃଥିବୀରେ ଘୁରି ବୁଲେ ।
ମଦ ମାଂସ ନାରୀ ପିପାସୁ ହୋଇ ସେ
ଯାଏ ପୁଂଶ୍ଚକୀ ଭବନେ,
ପୁରୁଷତ୍ବ ତାର ନାଶ ହୋଇଯାଏ
ଅତୃପ୍ତ ରହେ ଜୀବନେ ।
ପର ନାରୀ ଦାରା ସ୍ବାର୍ଥ ପାଇଁ ଜନ
ଅର୍ଥ ର ପଛରେ ଧାଇଁ,
ପିପଲିକା ହୋଇ ରୁଖା ରେ ଚଢିଣ
ବଞ୍ଚେ ଖାଲି ଲୋଭ ନେଇ ।
ଗର୍ବରେ ଫାଟିଣ ପିଷ୍ଟପ କୁ ନର
ସରା ମନେ କରେ ସେହି,
ମାଟିର ମଣିଷ ମାଟିରେ ମିଶିବ
ସାଥେ ଧନ ଯିବ ନାହିଁ।
ପୂଣ୍ୟାତ୍ମା ମଣିଷ ପୁଣ୍ୟ ଶ୍ଳୋକ ହୋଇ
ଭଗବାନ ପାଶେ ଯାଏ,
ଅଧର୍ମୀ ପାପିଷ୍ଠ ପ୍ରେତାତ୍ମା ହୋଇ ସେ
ସଂସାରରେ ଘୁରି ଥାଏ ।
ଅଧୁନା ଯୁଗରେ ଅବିଶ୍ବାସ ମଧ୍ୟେ
କେତେ ସତ ହୋଇଥାଏ,
ଅବିଶ୍ବାସ ମଧ୍ୟେ ବିଶ୍ବାସ ର ଚିହ୍ନ
ବେଳେବେଳେ ସତ ହୁଏ ।
ପ୍ରେତାତ୍ମା ଘୁରୁଛି ଆତ୍ମା ଶାନ୍ତି ପାଇଁ
କୋଠିରେ କରିଛି ଘର,
କେବେ ନିଆଁ ହୋଇ କେବେ ଭୂତ ହୋଇ
ସ୍ବଭାବ ଦୃଷ୍ଟ ତାହାର ।
ଅନ୍ଧାର କୋଠିରେ ଅନ୍ଧ ହୋଇଯାଏ
ଭଲମନ୍ଦ ଭୁଲିଯାଏ,
ପ୍ରେତାତ୍ମା କରଇ କିଳିକିଳା ରଡି
ଆତ୍ମା ତା ଶାନ୍ତି ନ ପାଏ ।