ପ୍ରେମର ସ୍ମୃତି
ପ୍ରେମର ସ୍ମୃତି
ପ୍ରେମ କୁ ବି ପ୍ରେମ ହୁଏ ଆସିଲେ ସେ ଋତୁ
ଥରେ ଫେରିଗଲେ ସିଏ ଆସେନାହିଁ କିନ୍ତୁ
ସ୍ମୃତି ତାର ଲେଖିହୁଏ ହୃଦୟ କାଗଜେ
ଯେତେ ଲିଭେଇଲେ ତାହା ଲିଭେ କି ସହଜେ ?
ଅସୁମାରୀ ସପନର କୁହୁକ ଝରାଇ
ଲକ୍ଷେ ଫଗୁଣର ପୁଣି ମହକ ଛୁଟାଇ
ନୀରବରେ ଲୁଚେ କେବେ ଛାତିର କୋହରେ
ନଈ ହୋଇ ବହେ କେବେ ଆଖିର ଲୁହରେ ।
ଥରେ ବହିଗଲେ ସିଏ ଫେରେନାହିଁ କିନ୍ତୁ
ପ୍ରେମକୁ ବି ପ୍ରେମ ହୁଏ ଆସିଲେ ସେ ଋତୁ ।
ଝରା ପତରରେ କିଏ ଲେଖୁଥାଏ ଚିଠି
କାହିଁ କେତେ ଦୂରେ କିଏ ରହିଥାଏ ଟାକି
ଦେଖୁ ଦେଖୁ ସରିଯାଏ ଜୀବନର ନାଟ
ତଥାପି ଯେ ସରେନାହିଁ ଚାହିଁବାର ବାଟ
ଥରେ ଚାଲିଗଲା ଯିଏ ଆସେନାହିଁ କିନ୍ତୁ
ପ୍ରେମକୁ ବି ପ୍ରେମ ହୁଏ ଆସିଲେ ସେ ଋତୁ ।।