ପ୍ରେମିକାର ଘର
ପ୍ରେମିକାର ଘର
କିଏ ସେ ଦେଖିଛି ନନ୍ଦନବନ ଲୋ
କେ ଦେଖିଛି ସ୍ୱର୍ଗପୁର
ସ୍ୱର୍ଗସୁଖ ଶିରୀ ଦେଖିବ ଯଦି ଗୋ
ବୁଲିଯାଅ ପ୍ରିୟାଘର I
ପ୍ରେମର ପୃଥିବୀ କେଉଁଠୁ ଆରମ୍ଭ
କେହି ହେଲେ ଜାଣିନାହିଁ
ଶେଷ କିନ୍ତୁ ତାର ମୋ ପ୍ରିୟାର ଘର
ମରତ୍ତେ ସରଗ ଭୂଇଁ I
ସେଇ ଘରେ ମୋର ସଖୀର ଜନମ
ସେଇ ଘର ପ୍ରିୟ ତାର
ସେ ଘର ମାଟିରେ ଲେଖି ଦେଇଛି ମୁଁ
ମୋ ପ୍ରେମର ଇସ୍ତାହାର I
ଜୀବନ କେବେ ଲୋ ଜୀବନ ନୁହଁଇ
ଯେଉଁଠାରେ ନାହିଁ ପ୍ରେମ
ସେପାଇଁ ଲୋ ସଖୀ ଜୀବନ ବହିରେ
ଲେଖିଛି ମୁଁ ତୁମ ନାମ I
ପ୍ରେମର ନଗରେ ଫଗୁଣର ରଙ୍ଗ
ଆଖି ଝଲସାଇ ଦିଏ
ଅଦିନ ବରଷା ବେଳେ ବେଳେ ଆସି
ରଙ୍ଗ ସବୁ ଧୋଇ ନିଏ I
ତଥାପି ଲୋ ସଖୀ ପ୍ରେମ ହିଁ ମହାନ
ପ୍ରେମ ସତ୍ୟ ମନୋହର I
ଆମ ପ୍ରେମ ଏକ ଆଲୋକିତ ପଥ
ଛୁଇଁନାହିଁ ଅନ୍ଧକାର I

