ପ୍ରେମ ପରିଭାଷା
ପ୍ରେମ ପରିଭାଷା
ପ୍ରେମ ପରିଭାଷା ଅଲଗା ଅଲଗା
ସ୍ଥାନ କାଳ ପାତ୍ର ନେଇ
ବୁଝିପାରେ ଯିଏ ତା ଜୀବନ ପଥ
ଯାଏରେ ସୁଗମ ହୋଇ ।
ବାପା ମାଆଙ୍କର ବାତ୍ସଲ୍ୟ ପ୍ରେମକୁ
ଭାଷାରେ ହୁଏନି କହି
ଦେବାରେ ଥାଏତ ଆନନ୍ଦ ସେଥିରେ
ପାଇବାର ଆଶା ନାହିଁ ।
ଭାଇ ଭଉଣୀଙ୍କ ଅନାବିଳ ପ୍ରେମ
ପବିତ୍ର ବନ୍ଧନ ସେତ
ପରିଭାଷା ତାର ନୀଳାଚଳ ଧାମେ
ବଖାଣନ୍ତି ଜଗନ୍ନାଥ ।
ସ୍ବାମୀ ସ୍ତ୍ରୀଙ୍କର ପ୍ରେମ ପରିଭାଷା
ପ୍ରତି ପାଦେ ବୁଝାମଣା
ହୃଦୟ କୁ ଯହିଁ ଜିଣି ନପାରିଲେ
ମନ ହୁଏ ବାଟବଣା ।
ରାଧାକୃଷ୍ଣଙ୍କର ଅପ୍ରାକୃତ ପ୍ରେମ
ଭକ୍ତିଭରା ଚଉତିଶା
ପରମାତ୍ମା ସହ ଆତ୍ମା ର ମିଳନ
ସେ ପ୍ରେମର ପରିଭାଷା ।
ପ୍ରେମତ ପବିତ୍ର ସାଶ୍ବତ ସୁନ୍ଦର
ମଧୁର ତା ପରିଭାଷା
ଈଶ୍ୱରଙ୍କ ପ୍ରେମ ଭାବର ସାଗର
ପୂର୍ଣ୍ଣ କରେ ମନ ଆଶା ।
