STORYMIRROR

Hrushikesh Satpathy

Romance

4  

Hrushikesh Satpathy

Romance

ପ୍ରେମ ପ୍ରାଣାଞ୍ଜଳି

ପ୍ରେମ ପ୍ରାଣାଞ୍ଜଳି

1 min
23.4K

କାହିଁକି କରୁଛ  ପ୍ରେମ କାହାଣୀକୁ

    ବ୍ୟଙ୍ଗ-ରଙ୍ଗରେ ରଞ୍ଜିତ,

ପ୍ରେମ ପୃଷ୍ଠତଳ   ଶୁଭ୍ର ଶତଦଳ

   ସମ୍ମୋହନେ ସମ୍ମୋହିତ ।


କା' ପରିଭାଷାରେ ପ୍ରେମ କଳଙ୍କିତ

   କା' ପାଇଁ ସ୍ପର୍ଶୀ,ଶାଶ୍ୱତ,

ସୀମିତ ଲଗ୍ନରେ  ଅସୀମ ସ୍ୱପ୍ନର

    ସୁରଭିରେ ସୁସଜ୍ଜିତ ।


ପୃଥ୍ବୀ ପଣତରେ   ସୂର୍ଯ୍ୟ ପ୍ରଣୟର

    ନିଃସର୍ତ୍ତ ରାଗିଣୀ ଝରେ,

ଜାଣିଛ କି କେବେ ତାଙ୍କରି ପ୍ରେମରେ

   ପ୍ରତାରଣା ଉଙ୍କି ମାରେ ?


ପ୍ରେମ କାହାଣୀରେ ଦୁଇଟି ଚରିତ୍ର

    ଅଗତ୍ୟା,ଅପ୍ରତ୍ୟାଶିତ,

ଅନୁଗତ ତା'ର   ଅନୁକ୍ରମଣିକା

    ପରକ୍ଷଣେ ପ୍ରତିହତ ।


ଭାବପ୍ରବଣତା  ଦିବ୍ୟ ବନ୍ଧନରେ

    ଅନୁପ୍ରାଣିତ ଉଚ୍ଛ୍ବାସ,

ଅନୁବର୍ତ୍ତନର   ଅନୁମତି ସୁରେ

    ଅନୁବର୍ତ୍ତୀ ଅନୁପ୍ରାସ !


ତ୍ୟାଗ ତର୍ପଣର  ଆତ୍ମନିର୍ବାଣରେ

   ପ୍ରେମ ମୃଣ୍ମୟୀ ମେଖଳା,

ବିଦେହ ନଗରୀ ରମ୍ୟା ରାଜଜେମା

   ହୋଇପାରେ କି ଅଶ୍ଳୀଳା !


ପ୍ରାକ୍ ସଙ୍ଗୀତ ତା' ସପ୍ତସୁର ନେଇ

    ସଜାଏ ମେଘମହ୍ଲାର,

ଭାସି ଭାସିଯାଏ ଶବ୍ଦେ ଅପଶବ୍ଦେ

   ସତେ କି ମେଘମେଦୁର ।


ବେଳେବେଳେ ଆସେ ପ୍ରଣୟ ପୃଷ୍ଠାରେ

    ଫର୍ଦ୍ଦ ଫର୍ଦ୍ଦ ପ୍ରତାରଣା,

ଘର୍ମାକ୍ତ ରକ୍ତାକ୍ତ   ଲାଂଛିତ ଲଜ୍ଜିତ

   ପ୍ରେମ ଭୋଗେ ବିଡମ୍ବନା ।


ସାମ୍ପ୍ରତିକ ସଭ୍ୟ ସମାଜ ଆଖିରେ

  ପ୍ରେମ ଶସ୍ତା,ପଣ୍ୟଦ୍ରବ୍ୟ,

ପରିଭାଷା ତା'ର କାୟିକ ଆଙ୍ଗିକ

   ଆତ୍ମିକ ପଣେ ସରବ୍ୟ ।


ଶ୍ରାବ୍ୟକାବ୍ୟ ପରି ପ୍ରେମ ପ୍ରାଣାଞ୍ଜଳି

    ଅନ୍ତରଙ୍ଗ ଅନୁମେୟ,

ସ୍ମୃତି ସ୍ମରଣୀୟ   ପ୍ରୀତି ବନ୍ଦନୀୟ

    ସତ୍ୟପ୍ରତିଜ୍ଞ,ଶ୍ରଦ୍ଧେୟ !


ନିନ୍ଦା ନଜରରେ  ପ୍ରଣୟ ପୃଷ୍ଠାକୁ

    କରନାହିଁ କଳଙ୍କିତ,

କାୟିକ ବାସନା  ଚରିତାର୍ଥ ପାଇଁ

    ପ୍ରେମ ନୁହେଁ ସମର୍ପିତ ।


Rate this content
Log in

Similar oriya poem from Romance