ପ୍ରେମ ହେଉ ଏମିତି।"""""""""""""
ପ୍ରେମ ହେଉ ଏମିତି।"""""""""""""
ତମ ଶୃଙ୍ଗାର ଭାବୋଦ୍ଦିପକ ,ରୂପ ଜୁଆରରେ;
ତମ, କଅଁଳ ଆଶ୍ଳେଷ ଅଭିପ୍ସାରେ;
ତମ,ବେପଥୁ ସ୍ପନ୍ଦିତ,ଅସ୍ଥିର ଉର୍ମିର ଆବେଗରେ;
ଉଦ୍ ବେଳିତ ,ମୋ କଅଁଳ ନରମ ବିଶ୍ଵାସ ବେଳାଭୂମି।
ତମ,ଛଳିତ,ଲଳିତ, ଜୁଆରିଆ ହସରେ,
କବଳିତ ମୋର ଅସ୍ମିତା, ମୋ ସ୍ବାଭିମାନ
ମଧୁର ଯନ୍ତ୍ରଣାର ଗଣ୍ଡି ଭିତରେ,
ଅବକ୍ଷିପ୍ତ, ମୋର ପ୍ରତିଟି ରେଣୁ,
ପ୍ରତିଟି ଜୀବକୋଷ।
କେମିତି ଜାଣିବି,
ତମ ପ୍ରେମ ର ପରିଭାଷା ଭିନ୍ନ।
କେମିତି ଜାଣିବି,
ତମ ଲାଳିତ୍ୟ, ଅମୃତ ବୋଳା,
ହସର ଜୁଆର ତଳେ, ମାଳମାଳ ସର୍ପ।
କେମିତି ଜାଣିବି,
ତମ ଶୃଙ୍ଗାର କଲ୍ଲୋଳିତ,
ଢାଙ୍କୁଣି ତଳେ,
ଭୟାନକ, ବିଭତ୍ସ, ରସର ଭଣ୍ଡାର।
କେମିତି ଜାଣିବି,
ମୋର ବଦାନ୍ୟତା ର ପ୍ରତିଦାନ ଦେବ,
ଏମିତି,ମୋ ମଥାରେ ପାଦ ରଖି ଚାପି ଦେବ ପାତାଳକୁ।
ତମ ପ୍ରେମକୁ ଶତ ନମନ।
ତମ ଝାଙ୍କୁଲା ବରଗଛ ତଳେ ଅନୁକୋଟି ବର୍ଷା।
ତମ,ଉଦ୍ଦାତ୍ତ ପ୍ରଣୟ ତଳେ ଲେଲିହାନ ଅଗ୍ନି ଶିଖା।
ମୋ ପ୍ରେମ,ଛିଡିବା କୁ ନୁହେଁ; ଯୋଡିବାକୁ।
ପ୍ରେମ, ଭାଙ୍ଗିବାକୁ ନୁହେଁ,;ଗଢ଼ିବାକୁ।
ମୋ ପ୍ରେମ,
ବଢିବା ପାଇଁ;ଉଡିବା ପାଇଁଁ।
ମୋ ପାଇଁ ,ପ୍ରେମ ଚିରନ୍ତନ ,ଶାଶ୍ଵତ, ଅଲିଭା,
ଅମର,ଅମଳିନ;
ଲମ୍ବିଥାଉ ଏ ଜନ୍ମରୁ ଆର ଜନ୍ମ ଜନ୍ମାନ୍ତର ଯାଏଁ ।