ପ୍ରେମ ଏକ ପୂଜା
ପ୍ରେମ ଏକ ପୂଜା
ବିକଶେ ସୈ।ରଭ ମଳୟ ସମୀର
ଯଉବନ ମଧୁବନ
ଉଛୁଳଇ ମନେ ଉଲ୍ଲାସ ଆନନ୍ଦ
ମଧୁମୟ ପ୍ରୀତି ପ୍ରେମ ।
ଭାବ ଅନ୍ତରଙ୍ଗେ ଦିଶଇ ବର୍ଣିଳ
ଇନ୍ଦ୍ରଧନୁ ସପ୍ତରଙ୍ଗ
ଶୁଭେ ର୍ମୂହୁ ର୍ମୂହୁ ଗହନ ମନରେ
ମୂରଲୀ ପଞ୍ଚମ ରାଗ ।
କୁଞ୍ଜ ଉପବନେ ଡେଣାକୁ ମେଲାଇ
ଉଡେ ମନ ପ୍ରଜାପତି
ବିଭୋର ହୁଅଇ ମଧୁର ସପନେ
ଗାଏ ମିଳନର ଗୀତି ।
ଅଦ୍ଭୁତ କିମ୍ଭୁତ ଆଶା ଆକର୍ଷଣ
ପ୍ରେମ ନୀଳ ଅନୁରାଗ
ପ୍ରେମ ନୀଳ ପକ୍ଷୀ କପୋତ କପୋତୀ
ମୁକ୍ତ ଆକାଶ ବିହଙ୍ଗ ।
ମାନେନା ସ°ସାର ବାଧା ପ୍ରତିବନ୍ଧ
ପ୍ରେମ ସତ୍ୟ ଚିରନ୍ତନ
ନିବିଡ଼ ସମ୍ବନ୍ଧ ଏକାତ୍ମତା ସୂତ୍ର
ପ୍ରେମ ଜୀବନ ବନ୍ଧନ ।
ମମତା ମଧୁର ଅମୃତ ନିର୍ଝର
ପ୍ରେମ ସ୍ୱର୍ଗିୟ ସୁଷମା
ଅନୁପମ ପ୍ରେମ ସାଧନା ଉତ୍କର୍ଷ
ପ୍ରେମ ପୂଜା ଆରାଧନା ।

