ପ୍ରେମ ବର୍ଷା
ପ୍ରେମ ବର୍ଷା
ପ୍ରୀତିର ଜୁଇରେ ଅଗ୍ନି ସଞ୍ଜୋଗ ପୂର୍ବକ
ସବୁ ଭାବନାର ଶବ ଦାହ କରନ୍ତେ
ଆରମ୍ଭ ହୋଇଗଲା
ପୁଣି କିଛି ପ୍ରେମ ବର୍ଷା ;
ଅର୍ଦ୍ଧ-ଦଗ୍ଧ ଶବଟି ବି ଏବେ
ସଂଶୟ ମଧ୍ୟରେ
ବର୍ଷାର ସ୍ପର୍ଶ ପାଇ
ଯଦି ଲଭେ ପୁନଃଜୀବନ
ତେବେ କ'ଣ କରିବ ସେ !!
ଏତେ କଷ୍ଟରେ ତ ତୁଟିଥିଲା
ପ୍ରେମ ଉପରୁ ବିଶ୍ଵାସ ,
ଉର୍ବର ମାଟି ଯେ କେତେ ପରିଶ୍ରମ ପରେ
ପରିଣତ ହୋଇଥିଲା
ବନ୍ଧ୍ୟା ଜମିରେ
ସେ କଥା କ'ଣ କିଏ ବୁଝିପାରିବ !
ଚଳଚଞ୍ଚଳା ପାହାଡ଼ୀ ଝରଣାରୁ
ନିଶ୍ଚଳ ପୋଖରୀରେ ରୂପାନ୍ତରଣ
କ'ଣ ସହଜ କଥା !
ଭୁଲିବାକୁ ହୁଏ କେତେ
ଚଞ୍ଚଳା ଚପଳାମୀ ,,,
ଏତେ ସବୁ ତ୍ୟାଗ ପରେ
ନିଜ ଭିତରେ ଅଳ୍ପ ଅଳ୍ପ କରି
ମରୁଥିବା
ସ୍ଵକୀୟ ଭାବନାସବୁକୁ
ଏକା ସାଙ୍ଗରେ ଦାହ କରିବା ସମୟେ
ଏପରି ନିଆରା ବର୍ଷାର ଅଭିପ୍ରାୟ
କ'ଣ ବା ହୋଇପାରେ !
କେମିତି ବୁଝାଇବି ବର୍ଷାକୁ
ଭିଜିବା ପାଇଁ ଏବେ ଶକ୍ତି ନାହିଁ
ବଞ୍ଚିବାର ଆଶା ମନରେ ପୋଷି
ପୁନଶ୍ଚ ମୃତ୍ୟୁର କାମନା କରିବା ଯେ,
ଅତ୍ୟନ୍ତ କଷ୍ଟଲବ୍ଧ ବ୍ୟାପାର !
କେତେ ନଛୋଡବନ୍ଧା ଏଇ ବର୍ଷା ଯେ,
ମୋତେ ଜୀବନ୍ୟାସ ଦେବା ପାଇଁ
ସତେ କରିଛି ପ୍ରତିଜ୍ଞା
କେତେ ଆଉ ଦୂରେଇବି ତା'କୁ
କେତେ ବା ବଞ୍ଚାଇବି ନିଜକୁ ,
ସବୁ ଚେଷ୍ଟା ତ ଆଜି ନିଷ୍ଫଳ !!!
ତଥାପି ;
ମନ ଭିତରେ ଅନେକ
ଅସମାହିତ ପ୍ରଶ୍ନ
ଏଇ ପ୍ରେମବର୍ଷା ପୁଣି ଥରେ
ଆଣି ଦେବନି ତ
ସୁକୋମଳ ଆଖିରେ ଅଶ୍ରୁର ପ୍ଲାବନ !!!