ପଣତକାନି
ପଣତକାନି
ବସୁଧାକୁ ନାରୀ ଆସେ ଅବତରୀ
ଦେବୀ ରୂପ ଧରି କ୍ଳେଶ ଦିଏ ତାରି।
ହୁଏ ସେ ଭଗିନୀ ଭାଇ ଆହ୍ଲାଦିନୀ
ପତି ପାଶେ ପତ୍ନୀ ଜୀବନ ସଙ୍ଗିନୀ।
ହୁଏ ସେ ଜନନୀ ମମତା ଦାୟିନୀ,
କଲ୍ୟାଣ କାରିଣୀ ସହନେ ଅବନୀ।
ପୁତ୍ରକନ୍ୟା କୋଳେ ଧରି ଯତ୍ନେ ପାଳେ,
ଗୃହକୁ ସମ୍ଭାଳେ ସବୁରି ମଙ୍ଗଳେ।
ଦୁଇ କୁଳ ହିତା ରୂପରେ ଦୁହିତା,
ସେ ଅପରାଜିତା ଜଗତେ ପୂଜିତା।
ତା' ପଣତକାନି ଆଶିଷ ପାବନୀ,
ସନ୍ତାନକୁ ଘେନି କରାଏ ଅଗ୍ରଣୀ।
ପୋଛିଦିଏ ଲୁହ ସ୍ନେହ ଶ୍ରଦ୍ଧା ସହ,
ହୃଦେ ଚାପି କୋହ ଦିଏ ସେ ଉତ୍ସାହ।
ମାଆର ପଣତ ଅଭୟର ନେତ,
ଉଦ୍ଧାରେ ସତତ କରି ପୂଜା ବ୍ରତ।
ବସନେ ଭୂଷଣେ ଲଜ୍ଜ୍ୟା ନିବାରଣେ,
କଷଣ ତାରଣେ ଥାଏ ନିଷ୍ଠା ପଣେ।
ସେ ଅଞ୍ଚଳ କାନି ନ୍ୟାୟ ନୀତି ମାନି,
ଧର୍ମ ପାଳେ ଜାଣି ଶାନ୍ତି ଦିଏ ଆଣି।
ହସ ଖୁସି ମିଳେ ତାର ଛାୟା ତଳେ,
ରହି କାଳେ କାଳେ ତରନ୍ତି ସକଳେ।
ପଣତ ପରଶ ମୁଖେ ଭରେ ହସ,
କରିଥିଲେ ରୋଷ ହୋଇଯାଏ ନାଶ।
ସେ କାନିରେ ବନ୍ଧା ମମତାର ସୁଧା,
ଘୁଞ୍ଚିଯାଏ ବାଧା ଥାଉ ଯେତେ ଦ୍ଵିଧା।
ଗୁଣେ ମହନୀୟା ରଖିଥାଏ ଦୟା
ସ୍ନେହେ କମନୀୟା ସେ ଅତୁଳନୀୟା।
ପବିତ୍ର ପରାଣେ ଥିଲେ ତା' ଶରଣେ,
ପୁଣ୍ୟତା ଅର୍ଜନେ ଭାଗ୍ୟବାନ ମଣେ।
ଦୁଃଖର ମୋଚନେ ରହିଥାଏ ଧ୍ୟାନେ,
ସ୍ଵଚ୍ଛ ଶୁଦ୍ଧ ମନେ ରହେ ସେ ଜୀବନେ।
ମା' ପଣତକାନି ସଂସାରେ ତ୍ରିବେଣୀ,
ସତ୍ୟ ଧର୍ମ ମାନି କରେ ଜ୍ଞାନୀ ଗୁଣୀ।
ପ୍ରତୀକ ସ୍ଵରୂପେ ରହେ ତା' ସଂକଳ୍ପେ,
ସଦା ଶୁଭ କଳ୍ପେ ସେବା ହିତ ତପେ।
