ପଣା ସଙ୍କରାନ୍ତି ପଣା
ପଣା ସଙ୍କରାନ୍ତି ପଣା
ପଣା ସଙ୍କରାନ୍ତି ପଣା,
ପାଣିବାବୁ ଘର ମଧୁପାଟଣା,
ବାଟ ଖରଚ ଆଠଣା l
ତାଙ୍କ ଆଖି ଗୋଟେ କଣା,
ବାଟ ବଣା ହେଲେ ଖାଇବୁ ଚଣା,
କୋଅଟକୁ ହେବୁ ଟଣା l
ତାଙ୍କ ବାଡ଼ି ପଟେ ଖାଲ,
ଗଛରେ ଝୁଲୁଛି ପାକଲା ବେଲ,
ତିନୋଟି ତୋଳିକି ଚାଲ l
ଶୁଣ ସାଙ୍ଗ ନଟବର,
ସ୍ମରି ବ୍ରହ୍ମା,ବିଷ୍ଣୁ, ଶ୍ରୀ ମହେଶ୍ୱର,
ବେଲକୁ ଭଞ୍ଜନ କର l
ସସକୁ ବାହାର କରି,
ମିଶାଇବ ତହିଁ ଚିନି ମିଶିରି,
କଦଳୀ ପାଟ କପୁରି l
ଛେନା,ଶିରିଫଳ, ଦହି,
ଫେଣ୍ଟି ଦେବ ତାକୁ ଖୁଆ ବୁଲାଇ,
ପାଟିରୁ ଛାଡ଼ିବ ନାହିଁ l
ହୋଇଗଲା ଏବେ ପଣା,
ସାଙ୍ଗ ସାଥୀଙ୍କୁ ତୁ ଝଅଟ ଜଣା,
ନବଜା ବଡ଼ ବାଜଣା l
ମନେ ରଖିଥିବୁ ସାଙ୍ଗ,
ପକାଇବୁ ନାହିଁ ସେଥିରେ ଭାଙ୍ଗ,
ଛାଡ଼ି ଯିବ ତୋର ରଙ୍ଗ l
ଭାଙ୍ଗ ପଣା ଥରେ ଖାଇ,
ଯମ ଭୁବନରୁ ଫେରିଛି ମୁହିଁ,
ଦୟାକଲେ ଭାବଗ୍ରାହୀ l
ଆଜି ପଣା ସଙ୍କରାନ୍ତି,
ପଣା ଖାଇ ଆତ୍ମା କରିବ ଶାନ୍ତି,
ଆସୁଛି ବୈଶାଖ ତାତି l
