STORYMIRROR

Kulamani Sarangi

Children

3  

Kulamani Sarangi

Children

ପଲ୍ଲୀ କବିତା

ପଲ୍ଲୀ କବିତା

1 min
14.4K


ପଲ୍ଲୀ କବିତା



ଶୁକୁରିଆ ଦାଦି ବାଧିକା * ପଡିଚି,

ଏଇନୁ ଆଉ ଟିକୁକୁ, #

ଭେଣ୍ଡାପୁଅ ଯୋଡେ ମୁହଁ ଚୁହାଁ ଚୁହିଁ

ବଇଦକୁ ଡାକିବାକୁ।


ବଇଦ ଆଇଲେ ଫିସି କିଏସେ-

ଦବ ବୋଲି ଟଣାଟଣି,

ସାନ କହେ " ଭାଇ ! କାହିଁକି ଏ ପାଲା

ଶେଷବେଳ ତ ହେଲାଣି।"


ଜୀବନ ନଯାଉଁ ବୁଢାର , ପଡିଚି

ଘରେ ବିଲେଇ ବିଚାର,

ମଲାପରେ କିଏ କି ଖର୍ଚ୍ଚ କରିବ

ହିସାବ ନିକାସ ତାର।


ପାଟିଗୋଳ ହୋଇ, ହୁଏ ଭାଗବଣ୍ଟା

ହିସାବ ନିକାସ ପାଲା,

ଶବ କେଂଚାବାଡି,ମାଠିଆ,କୋକେଇ

ହିସାବେ ହୁଏ ସାମିଲା।


ଶୁଦ୍ଧଘର ଖର୍ଚ୍ଚ ପାଇଁ କିଏ କେତେ-

ଦବ ଚାଲେ ଭିଡା ଭିଡି,

ଦେଖି ଶୁକୁରିଆ ଦାଦିର ଆଖିରୁ

ଲୁହଧାର ଯାଏ ଗଡି।




ବଡପୁଅ ଥରେ ରୋଗରେ ପଡିଲା

ପାଞ୍ଚ ସାତ ବଅସରେ,

ରାତି ରାତି ଧରି ବସିଥେଲା ବାପ

ଡାକ୍ତରଖାନା ପିଣ୍ଡାରେ।

ମାଆ ତାର କେତେ ଶୁଭ ମନାସିଲା

ଲକ୍ଷେ ଦେବତାଙ୍କୁ ଡାକି,

ହଣ୍ଡା ହାଣ୍ଡି ବିକି ଉପାସ ଭୋକରେ

ଚାହିଁ ଥିଲେ କୋଳେ ଜାକି।

ଯେଉଁ ଦିନ ଆଖି ଖୋଲିଲା ଭାବିଲେ

ଜୀବନ ହୋଇଲା ଧନ୍ୟ,

ଯାଉ ଯେତେ ଧନ ଜୀବନରେ ଧନ

ଆଣିବ ଅନେକ ଧନ।


ଆଜି ସେଇ ପୁଅ ବଇଦ ଆଗରେ

କହୁଚି ନେଫେଡି ପାଟି,

"ମାଆ ଠାରୁ ନିଅ,କିଛିନାହିଁ ପାଖେ

ଦେଖୁନ ଖାଲି ପାକିଟି।"




ସାନପୁଅ ଥରେ ମଦପିଇ କାହା

ଘରେ ପଶିଥେଲା ଯାଇ,

ଆର ସାଇ ଗୋତି ପିଲେ ପିଟି ପିଟି

ତାଳୁଟା ଦେଲେ ଫଟେଇ।

ଥାନା କଚେରୀର ପାଲା କେତେ ହେଲା,ନାଞ୍ଚ,ହାତଗୁଂଜାଦେଇ,

ଜମିବାଡି ବିକି ଶୁକୁରିଆ ଦାଦି

ଆଣିଥେଲା ମୁକୁଳେଇ।


ଆଜି ସେଇ ପୁଅ କୁନ୍ଥୁ କୁନ୍ଥୁ ହେଇ

କହୁଚି "ବଇଦେ ଶୁଣ,

କାହିଁପାଇଁ ଏତେ ଓଷଦ ନେଖୁଚ

ବଂଚିବ ସେ କେତେ ଦିନ? "


ସବୁ ଦେଖି ଶୁଣି ଶୁକୁରୁ ଦାଦିର

ମନ ଆମ୍ବିଳା ହେଲାଣି,

ବୋଲୁଚି "ଶାଗୁଣା,ବିଲୁଆ ମୁହଁରୁ

ରଖ ମତେ ଚକ୍ରପାଣି।"


* ବାଧିକା---ରୋଗ

# ଏଇନୁ ଆଉ ଟିକୁକୁ--ଏଇଲେ ବା ଆଉଟିକେ ପରେ ମରିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children