STORYMIRROR

BISWESWAR MAJHI

Inspirational

5.0  

BISWESWAR MAJHI

Inspirational

ପିତା ଧର୍ମ ପିତା ସ୍ବର୍ଗ

ପିତା ଧର୍ମ ପିତା ସ୍ବର୍ଗ

1 min
14.2K


ପ୍ରହ୍ଲାଦ ସଂସାରେ ଶ୍ରେଷ୍ଠ ଭକତର ବିବେଚନା ଯଦି ହେଲା

ହିରଣ୍ୟକଶ୍ୟୁପ ନିକୃଷ୍ଟ ପିତାର ପଦବାଚ୍ୟ କାହିଁ ହେଲା !

ନାରିକେଳ ଉପାଖ୍ୟାନ ସରିସମ ପିତା ହୃଦୟ କଠୋର

ପାଳେ ଯେଣୁ ପିତା କଟୁପିତା ସେତ ହିତପାଇଁ ସନ୍ତାନର ।

ସନ୍ତାନ ସପନ ଲାଗି ପିତାଟିଏ ନିଜ ସପନକୁ ମାରି

ମାଟିକୁ କାମୁଡି ଲଢୁଥାଏ କାଳେ ପୂର୍ଣ୍ଣ ହେବ ଆଶାବରୀ ।

ମା ପାଖେ ଅଳି କରନ୍ତି ସନ୍ତତି ଆଦର ସୋହାଗ କରି

ମା' ନ କହୁଣୁ ବାପା ଦିଅନ୍ତି ସେ ଅଳିକୁ ପୁରଣ କରି ।

ସନ୍ତାନଙ୍କ ଅରଦଳି ମେଣ୍ଟାଇବା ଧର୍ମ ତେଜି ନିଜ ସୁଖ

ମୁଣ୍ଡଝାଳ ପଛେ ତୁଣ୍ଡରେ ମରିବ ପିଲା ନଜାଣିବେ ଦୁଃଖ।

ବାପଥିଲା ପୁଅ ସଭାରେ ହାରେନି ବାପା ଅଭିଜ୍ଞତା ନେଇ

ସନ୍ତାନ ଜଗତେ ଜିତି ଯାଉଥାଏ କଷ୍ଟ ଜଣା ପଡେ ନାହିଁ ।

ପିତର ଯାହାର ଅଧିଷ୍ଠିତ ସେଇ ସନ୍ତାନ ଜଗତ ଜିତା

ଅଣବାବୁଆର ପଦେପଦେ ଦୁଃଖ ଲାଂଛନାଟି ସାର କଥା।

ପିତା ଧର୍ମ ପିତା ସ୍ୱର୍ଗ ପିତା କାହିଁ ପରମ ତପ ନହୋଇ

ପୁତ୍ ନରକରେ ଘାଣ୍ଟି ହେଉଥାଏ ପୁତ୍ରକୁ ଜନମ ଦେଇ ।

ଦୁନିଆ ଦାଣ୍ଡରେ ଛିଡା କଲା ପରେ ନିଗାଡି ଦେହର ସ୍ୱେଦ

ବୁଢାହୋଇ ବାପ ବୃଦ୍ଧାଶ୍ରମେ ଥାଏ ଢାଳୁଥାଏ ଆଶୀର୍ବାଦ।

ଦଧିଚିଙ୍କ ପରି ଦେଇ ଦେଇ ପିତା ହାରେ ଆପଣା ଅସ୍ତିତ୍ଵ

ଶିବଙ୍କ ପରି ସେ ସବୁ ଦାନ ଦେଇ ପାଏ କେବଳ ପିତୃତ୍ବ ।

ପିତୃ ଋଣ ଭାରୁ ମୁକତି ଲଭିବ ସେ ଲାଗି ଏତେ ସାଧନ

ପୁତ୍ର ଯେବେ ପିତା ହୁଏ ପାଇଥାଏ ପିତୃତ୍ବର ସନ୍ଧାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational