ପିଲାମାନେ
ପିଲାମାନେ
ଆଗାମୀ ଦିନର ଭବିଷ୍ୟତ ତୁମେ,
ଯେତେ ଅଛ ପିଲାମାନେ
ତୁମରି ହସରେ ହସିବ ଦୁନିଆ,
ଦେଶ ପ୍ରୀତି ରଖ ମନେ ।
ତୁମରି ହାତରେ ଗଢିଦିଅ ପିଲେ,
ସୃଷ୍ଟି ହେଉ ରାମ ରାଜ୍ୟ
ବାପୁଙ୍କର ସ୍ୱପ୍ନ କରିଦିଅ ପୂର୍ଣ୍ଣ,
କଥା ନୁହେଁ କର କାର୍ଯ୍ୟ ।
ମହାନ ଭାରତ ଏଯେ ତପୋଭୂମି,
ଭରତ ଜନ୍ମିଲେ ଏଠି
ତୁମ ପରି ଶିଶୁ କେଡେ ପରାକ୍ରମୀ,
ଖେଳିଲେ ସିଂହକୁ ଧରି ।
ଅଭିମନ୍ୟୁ ବୀର କୁରୁକ୍ଷେତ୍ରେ ତାର,
ଜୀବନକୁ ବାଜିରଖି
ସପ୍ତରଥୀ ସହ ଏକା ସେ ଲଢ଼ିଲା,
ମନରୁ ଭୟ ଉପେକ୍ଷି ।
ବାର ବରଷର ପିଲାଟିଏ ସିଏ,
ଧରମା ତାହାର ନାଁ
କୋଣାର୍କ ମନ୍ଦିର ମୁଣ୍ଡି ମାରିଦେଲା,
ଇତିହାସେ ତାର ନାଁ ।
ଦେଶ ପାଇଁ ଦିନେ ଛାତି ପlତିଦେଲା,
ଇଂରେଜ ବନ୍ଧୁକ ଆଗେ
ବାଜି ରାଉତ ସେ ଛୋଟ ପିଲାଟିଏ ,
ସ୍ୱାଧୀନ ଭାରତ ମାଗେ ।
ଛୋଟ ପିଲା ଧ୍ରୁବ ଛୋଟ ପ୍ରହଲ୍ଲାଦ,
ଉପମନ୍ୟୁ ଛୋଟ ପିଲା
ଆରୁଣୀର ଭକ୍ତି ଦେଖି ଗୁରୁ ପ୍ରୀତି,
ଦୁନିଆ ଆଶ୍ଚର୍ଯ୍ୟ ହେଲା ।
ଏହି ସେ ଭାରତ ମହାଶକ୍ତିଶାଳୀ,
ଐଶ୍ୱର୍ଯ୍ୟର ଗନ୍ତାଘର
ଏହିଦେଶେ ଜନ୍ମି ତୁମେ ଦେବ ଶିଶୁ,
ତାକୁ କରିନିଅ ଆପଣାର ।
ସ୍ୱର୍ଗଠାରୁ ବଡ ଜନ୍ମଭୂମି ଆମ,
ସର୍ବଦା ରଖିବା ଧ୍ୟାନ
ଦେଶ ମାତୃକାର ସେବାରେ ଦେବାରେ,
ମନ ମୁନ ଚଇତନ ।
ଉଜ୍ବଳ କରିବ ଦେଶର ନାମକୁ,
ହେ ଆଗାମୀ ନାଗରିକ
ଛୋଟ ଅଛ ଆଜି କାଲି ବଡ ହେବ,
ରଖିବ ଜାତିର ଟେକ ।
ପୂରୁବ ଗୌରବ ତୁମେ ଫେରାଇବ,
ଫୁଟିଛ ଭାରତ ବନେ
ତୁମରି ସୌରଭ ବିତରିତ ହୋଇ,
ଉନ୍ମେଷ ଜାଗୁ ମନେ ।
ଶୁଭ ଅବସରେ ଆଜିର ଦିନରେ,
ତୁମ ପାଇଁ ଆଶୀର୍ବାଦ
ଦୁନିଆ ବୁକୁରେ ଯେତେ ପିଲାମାନେ,
ଦେଶପ୍ରେମକୁ କର ଜାଗ୍ରତ ।
