STORYMIRROR

Sambit Srikumar

Tragedy Classics Inspirational

3  

Sambit Srikumar

Tragedy Classics Inspirational

ପିଆଦା

ପିଆଦା

1 min
240


ସ୍ବାର୍ଥ ସର୍ବସ୍ବ ଭ୍ରଷ୍ଟ ରାଜନୀତିର 

କୂଟ - କପଟପୂର୍ଣ୍ଣ ପଶାପାଲିରେ

ଘଡ଼ିକୁ ଘଡ଼ି ଆପଣାର ପକ୍ଷ 

ବଦଳାଉଥାଆନ୍ତି ପିଆଦାଗଣ

ଗୋଲାମୀର ବୋକଚା ବୋହି ବୋହି 

ଚିରକାଳ ଆପଣାର ଅବଦମିତ 

ଅଥଚ ସୁଗଠିତ ସଶକ୍ତ ସ୍କନ୍ଧରେ!! 


କେବେ ପକ୍ଷ କେବେ ବିପକ୍ଷ 

ନ୍ୟସ୍ତ ସ୍ଵାର୍ଥ ସିଦ୍ଧି ନିମନ୍ତେ 

ରାତାରାତି ବଦଳଇ ସମସ୍ତ ସିଦ୍ଧାନ୍ତ 

ସ୍ବାର୍ଥ ମୁଖ୍ୟ ନୀତି ନୈତିକତା ଗୌଣ 

ଏଠି ନିରପେକ୍ଷ ରହିବାଟା ହିଁ 

ଗୋଟେ ମସ୍ତବଡ଼ ଅକ୍ଷମଣୀୟ ପାପ 

କିଏ ବା କାହିଁକି ହେବ ତୁଚ୍ଛାଟାରେ 

ଏଇ ପାପର ଭାଗୀଦାର 

ଭୋଗିବ ଅକଥନୀୟ ଅତ୍ୟାଚାର?? 


ତଥାକଥିତ ଶାସ୍ତ୍ରୋକ୍ତ ନୀତି ଆଦର୍ଶ 

ଅସ୍ଥିତ୍ବ ଅସ୍ମିତା ଆତ୍ମସମ୍ମାନକୁ ଅକାତରେ 

ପଦଦଳିତ କରି କ୍ଷଣିକ ଲାଭାର୍ଥେ 

ସ୍ଵେଚ୍ଛାରେ ଅବା ଦ୍ବିଧାଗ୍ରସ୍ତ ମାନସିକତାରେ 

ଗୋତି ଶ୍ରମିକ ପରି ଜୀଉଁଥାଆନ୍ତି 

ମହାର୍ଘ ଏଇ ମାନବ ଜୀବନର 

ପ୍ରତିଟି ଅମୂଲ୍ୟ ଅତୁଲ୍ୟ କ୍ଷଣ

ଆପଣା ଆପଣା ଘୋଷିତ ଅଘୋଷିତ 

ଅଧିପତି ଅଧିଶ୍ବରଙ୍କ ଖଳ ଉଦ୍ଦେଶ୍ଯ 

ପ୍ରଣୋଦିତ ଇଚ୍ଛା ଓ ଇସାରାରେ!! 


ନା ନିଜର ଥାଏ କିଞ୍ଚିତ୍ ନିଜତ୍ବ 

ନା ଥାଏ ସ୍ବାଧୀନ ଚିନ୍ତା କରିବାର

ତିଳେ ମାତ୍ର ବିଚାର ଶକ୍ତି

କ୍ରୀଡ଼ନକ ସାଜି ଆନର 

ହାତରେ ନାଚୁଥାଆନ୍ତି ଅହର୍ନିଶି

ନିଜକୁ ବୋଲାଇବା ପାଇଁ ଅଗ୍ରଣୀ 

ଜନନେତା କରିବାକୁ ଜନତାର 

ସେବା ପୂଜା ସକଳ ସର୍ବାଙ୍ଗୀନ 

ବିକାଶ ଏଇମାନେ କାଳେ ସାଜିଥାନ୍ତି 

ସ୍ବେଚ୍ଛାସେବୀ ସାମାଜିକ କାର୍ଯ୍ଯକର୍ତ୍ତା 

ଯୁବ ପୀଢ଼ିର ଆଦର୍ଶ ପୁରୁଷ 

ଆଗ୍ନେୟ ପ୍ରେରଣାର ଅସରନ୍ତି ଉତ୍ସ 

ଦେଶ ଓ ଜାତିର ଭାଗ୍ୟ ବିଧାତା!! 


ଯାହାଙ୍କର ନାହିଁ ସ୍ବକୀୟତା 

ସ୍ବାଧୀନତା ଚାରିତ୍ରିକ ଗୁଣବତ୍ତା 

ଗଣତନ୍ତ୍ରର ବିଧିବିଧାନ ଆଢୁଆଳରେ 

ସେଇମାନେ ଯଦି ସାଜିବେ

ଏଇ ମହାନ ଜାତିର ତୁଙ୍ଗ କର୍ଣ୍ଣଧାର

ମାଟିର ମୂର୍ତ୍ତିକାର ଧରଣୀର କୃଷ୍ଣସାର 

ଏଇ ଆମ ଦେଶ ହୋଇବ ବା କାହିଁ 

କେଉଁଥିରେ କେଉଁ ଗୁଣେ ଆଗୁସାର?? 


ବହୁରୂପୀ ନେତାଙ୍କ ରକମରକମର 

ଭେଳିକିରେ ଭଳି ଯାଉଥିବା 

ଆମ ଦେଶର ଜନତା କଣ 

ସତରେ ନୀରିହ ଅବା ନିର୍ବୋଧ? 

ନା କାନ୍ଦୁଥା ଯାହା ପାରୁଛୁ 

ଗଣ୍ଠିଲିରେ ବାନ୍ଧୁଥା ନ୍ୟାୟରେ 

ଆପଣାର ସ୍ବାର୍ଥର ସୁରକ୍ଷାରେ 

ସଦାସର୍ବଦା ତୟାର ତତ୍ପର?? 


ଧର୍ମକୁ ମାରି ସଯତ୍ନେ ଆଖିଠାର 

ସଭିଏଁ ବ୍ଯସ୍ତ ସ୍ବୀୟ ସ୍ୱାର୍ଥପୂର୍ତ୍ତିରେ 

କଦବା କ୍ବଚିତ୍ ବେଳ କାଳ ଦେଖି 

କୁମ୍ଭୀର କାନ୍ଦଣା ପଦେଅଧେ 

କାନ୍ଦିଦେଲେ ସବୁରି କର୍ତ୍ତବ୍ୟ 

ସରିଯିବାର ଆତ୍ମତୃପ୍ତିରେ ଜନତା 

ଜନାର୍ଦ୍ଦନ ଆବାଳବୃଦ୍ଧବନିତା ବିଭୋର!! 





Rate this content
Log in

Similar oriya poem from Tragedy