STORYMIRROR

Sachidananda Kar

Children

3  

Sachidananda Kar

Children

ଫୁଲରାଣୀ

ଫୁଲରାଣୀ

1 min
208


         ଫୁଲରାଣୀ ଆଗୋ ମିଠା ଚାହାଣିରେ

                     କାହାକୁ ରହିଛ ଚାହିଁ

         ଦେଖେ ସବୁଦିନେ ଖୁସି ହୁଏ ଦେଖି

                     ତୁମରି ପାଖରେ ଥାଇ ।।


         କଅଁଳ ଖରାରେ ସଜ କାକରରେ

                     ସକାଳ ସିନାନ ସାରି

         ହସୁଥାଅ ତୁମେ ଖିଲିଖିଲି ହସ

                     ମନଲୋଭା ଦିଶ ଭାରି ।।


         ପାଖୁଡାରେ ତୁମ ମାଦକତା ଭରା

                    ମହକଟି ଥାଏ ବୋଲି

         ଧାଇଁ ଚାଲିଆସେ ପରଜାପତିଟା

                     କଥା ହୁଏ ମନ ଖୋଲି ।।


         ତୁମ ପାଇଁ ଦିଶେ ବଗିଚା ସୁନ୍ଦର

                     ତୁଳନା ଯାହାର ନାହିଁ

         ତୁମ ପରି ଏତେ ରୂପର ଗୁଣର

                     ଜଣେ କିଏ ଏଠି କାହିଁ ।।


         ତୋଳି ମୁଁ ତୁମକୁ ଦିଏ ଠାକୁରଙ୍କୁ

                    ପୂଜାଘର ମୋର ବାସେ

         ସୁଖୀ ହୁଏ ଦେଖି ସାରାଦିନ ଯେବେ

                    ଥାଅ ତୁମେ ତାଙ୍କ ପାଶେ ।।


         ଦେଖେ ମୁଁ ତୁମକୁ ଭଲପାଇବାର

                    ଆଖି ଦୁଇ ମୋର ନେଇ

         ଚାହିଁବ ତ ତୁମେ ଅୟୁତେ ପ୍ରମାଣ

                    ପାରିବି ତୁମକୁ ଦେଇ ।।


         ମଧୁଭରା ବୋଲି ଜୀବନେ ତୁମରି

                   ସୁସମୟ ନିତି ଆସେ

         ସକାଳରୁ ସଂଜ ଜୀବନଟା ତୁମ

                   ଫୁଟି ମହମହ ବାସେ ।।


         ତୁମ ସରଳତା କୋମଳତା ସରି

                   ନାହିଁ କିଛି ଏଠି ସତେ

         ଭାବେ କେତେ କରି ବିହି ତୁମ ପରି

                   ଗଢିଦିଅନ୍ତା କି ମତେ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children