ଫୁଲ ପାଖୁଡା ପରଜାପତି
ଫୁଲ ପାଖୁଡା ପରଜାପତି
ସାତ ରଙ୍ଗର ପରଜାପତି
ଆଠରଙ୍ଗର ଫୁଲ
ଫଗୁଣ ବୁଣେ ରଙ୍ଗ ମୁରୁଜ
ମହକେ ବଣ ବିଲ ।
ସବୁରି ଆଖି ଯାଏରେ ଲାଖି
ଦେଖି ଏ ଫୁଲ ରୂପ
ପରଜାପତି ତା ପାଇଁ ନିତି
ଲେଖଇ ନୂଆ ଗପ ।
ଏମିତି ରଙ୍ଗ ଏତେ ମହକ
ସୁନ୍ଦରୀ କିଆଁ ଫୁଲ !
କାହିଁକି ଆସି ପରଜାପତି
କରଇ ଏତେ ଗେଲ ?
ସୂରୁଜ ଦିଏ ରଙ୍ଗେଇ ତାକୁ
ପାଖୁଡା ତାର ହସେ
ପରଜାପତି ପାଗଳ ହୁଏ
ଫୁଲତ ଯେବେ ବାସେ ।
ତା ରୂପ ରଙ୍ଗ ମହକ ତାର
ସଭିଙ୍କୁ ନିଏ ମୋହି
ଦୁନିଆ ଦିଶେ ଭାରି ସୁନ୍ଦର
ତା ରୂପ ରଙ୍ଗ ପାଇଁ ।
ପରଜାପତି ତା ପ୍ରିୟ ଅତି
କଅଁଳ ଡେଣା ମେଲି
ତା ପାସେ ଆସି ଦିଏ ଆଉଁସି
କୋଳରେ ତାର ଝୁଲି ।
ଫୁଲ ପାଖୁଡା ପରଜାପତି
ଆଖି ରୁହଇ ଲାଖି
ଅବୁଝା ମନ ଦେଖେ ସପନ
ସେ ରୂପ ରଙ୍ଗ ଦେଖି ।