STORYMIRROR

Dr.Sashi Bhushan Mohapatra

Abstract

3  

Dr.Sashi Bhushan Mohapatra

Abstract

ଫନି

ଫନି

1 min
130


ଗତ କାଲି ଫନି

ଭାରି ଭୟଙ୍କର ଥିଲା

ସମୁଦ୍ରରୁ ସହସ୍ର ଫଣା ଟେକି

ଭୂଭାଗକୁ ମାଡି ଆସିଥିଲା

ବର୍ଷାର ଛିଟା ଛିଟିକିଲା ପରି

ତା' ପଟିରୁ ହିସ୍ ହିସ୍ ଶବ୍ଦ ସହ

ପିଚକାରୀ ପରି

ଯେମିତି ହଳା ହଳ ବିଷ

ନିର୍ଗତ ହେଉଥିଲା।


କଥାଥିଲା ସେ ଖାଲି

ସମୁଦ୍ରରୁ ଫଣା ଟେକି

ତା' ପରେ ଡୁବ ଦେବ।

ଗୋଖର ସର୍ପ ପରି

ନା଼ଁର ମହତ୍ୱ ରାଖିବାକୁ

ମାନିଲାନି ଫନି

ବଳ ଗୋଟାଇ ଗୋଟାଇ

ଫୁତ୍କାର ଶବ୍ଦ କରି

ପ୍ରଳୟର ପ୍ରତିଧ୍ବନି ଖେଳାଇ

ଚୋଟ ଦେଇ

ସମସ୍ତଙ୍କୁ ଖିନ୍ ବିନ୍ କଲା।


ତା' ପାଇଁ

ସୂର୍ଯ୍ୟ ଗଲା ବୁଡି

ଜହ୍ନ ଗଲା କଳା ପଡି

ସମୁଦ୍ର ବେହାଲ ହେଲା

ଢେଉ ଲଂଘିଲା ସମୁଦ୍ର କୂଳ

ପବନ କରିଲା ତାଂଡବ

ବର୍ଷା ବରଷିଲା ଅବିଶ୍ରାନ୍ତ

ସେ ଖେଳାଇଲା ତା' ସର୍ପ ଖେଳ।

ସୁ ସୁ ପବନକୁ ,ଘୁ ଘୁ ଶବ୍ଦ

ସବୁ ହେଲେଏକାକାର

ଶକ୍ତି ସଂଚୟ କରି

ସଭିଏଁ ଉଜାଡିଲେ ଜୀବନ ।


ଉପୁଡି ପଡିଲା ମହାଦ୍ରୁମ

ଭିତ୍ତି ଭୂମି ଧୂଳିସାତ୍

ବିଜୁଳି ସେବା ସାତ ସ୍ୱପ୍ନ

ଜୀବନ କ୍ଲାନ୍ତ,ଅବସନ୍ନ

ସୁଭୁ ନାହିଁ ପକ୍ଷୀର କୂଜନ

ଚଢେଇ ନୀଡ ହରା

ଡେଣାରୁ ଝରୁଛି ରକ୍ତ ଧାରା।

ବେହାଲ ପବନରେ

ଗଛ ସବୁ ଚୁଟି ହରା

ଝଡି ପଡୁଛି ଗଛରୁ

ଡାଳ ପତ୍ର,ଫଳ ଫୁଲ

କେଉଁଠୁ ଖୋଜିବି ପ୍ରିୟା ପାଇଁ

ଗୋଲାପ ପାଖୁଡା

ଆଉ ଠାକୁରଙ୍କ ପାଇଁ

ପୂଜା ଫୁଲ।

ଫନି ବିଷର ଜ୍ୱାଳାରେ

ସବୁ ଜଳି ଯାଇଛି

ଯେମିତି ଜଳିଥାଏ ଜଂଗଲ

ସେମିତି ଜଳିଛି ମନ

କୋଇଲିର କୁହୁତାନ

ଚାରିଆଡେ ଗଦା ଗଦା ଆବର୍ଜନା

କୁଢ କୁଢ ପ୍ରାଣୀଙ୍କର ଶବ।


ଉଜୁଡି ଯାଇଛି ଶ୍ରୀକ୍ଷେତ୍ର

ଉଜୁଡିଛି ଟୁଇନ୍ ସିଟି

ଉଜୁଡି ଯାଇଛି ଭାତ ହାଂଡି

ଓଡିଶାର ଅର୍ଦ୍ଧାଧିକ।

କାଲିରଏ ଦୁଃର୍ଘଟଣା

ଆଜି ଝରାଉଛି ଆଖିରୁ ଲୁହ।

ମୃତ୍ୟୁ ଯେମିତି କାଲି ଅକସ୍ମାତ୍

ଛିଡା ହୋଇଥିଲା ଘର ଆଗରେ

ଲୋକେ ଅଟକି ଥିଲେ

ଘର ର କବାଟ ଭିତରେ

ତ୍ରାହି ତ୍ରାହି ଡାକୁ ଥିଲେ

ହେ କୃଷ୍ଣ ,ହେ ରାଘବ

କାଳିଆ ଦଳନ ପରି

ଫନିକୁ କର ଦଳନ

ନହେଲେ ଆଶ୍ରୟ ଦେବାକୁ

ନେଇଯାଅ ବୈକୁଣ୍ଠ ଧାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract