Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଅଜୟ କୁମାର Ajaya Kumar ବେହେରା Behera

Tragedy

3  

ଅଜୟ କୁମାର Ajaya Kumar ବେହେରା Behera

Tragedy

ଫିକ୍କା ଦଶହରା

ଫିକ୍କା ଦଶହରା

1 min
240


ପୂଜା ଋତୁ ମଜା ଫିକ୍କା ପଡିଗଲା

       କୋରନାରେ ସଂକ୍ରମିତ ।

ଭକ୍ତ ବିହୁନରେ ମାଆଙ୍କର ପୂଜା

       ଦେଖିଲା ଆଜି ଏ ନେତ୍ର ।୧।

ଶାରଦୀୟ ପର୍ବ ମନୋରମ ଆଭା

       ତୋରଣର ସାଜସଜା ।

ଆଲୋକ ମାଳାର ଚିକିମିକି ଦୃଶ୍ୟ

       ଦେଉନାହିଁ ଆଉ ମଜା ।୨।

ରୂପେଲି ସୁନେଲି ଚାନ୍ଦି ରୂପା ମେଢ଼

       ଦେଖିବା ସପନ ଆଜି ।

ଦୁର୍ଗା ମଣ୍ଡପର ସମ୍ମୁଖେ ପରଦା

       ଆଖି ପାଉନାହିଁ ଖୋଜି ।୩।

କଟକ ପ୍ରସିଦ୍ଧ ଦୁର୍ଗା ପୂଜା ଯାତ୍ରା

       ଗହଳି ଚହଳି ନାହିଁ ।

ମାତାଙ୍କ ଦର୍ଶନ କରୁଛନ୍ତି ଭକ୍ତ

       ଧାଡି ଧାଡି ଠିଆ ହୋଇ ।୪।

ମୁଖେ ମୁଖା ପିନ୍ଧି ନିରବ ଦର୍ଶକ

       ପାଟି ଖୋଲିବାକୁ ମନା ।

କଠୋର ନିୟମ ପୂଜାରେ କାୟମ

       ପୋଲିସର  ତନାଘନା ।୫।

ଦୋକାନ ବଜାର ଦ୍ୱାର ଦେଶେ ବନ୍ଧା

       ବାଉଁଶ ଓ ମୋଟା ରସି ।

କ୍ରେତା ବିକ୍ରେତାଙ୍କ ମଝିରେ ପାଚିରି

       କ୍ରେତା ଯାଉଛନ୍ତି ଋଷି ।୬।

ବିଚରା ବେପାରୀ ବେପାର ବିହୁନେ

       ଦୁଃଖରେ ବସୁଛି ଚାହିଁ ।

କେମିତି ପୋଷିବ ପରିବାର ତା'ର

        ବୁଦ୍ଧି ବାଟ ଦିଶୁ ନାହିଁ ।୭।

ଛୁଆ ଅଳି କରେ ମେଢ଼ ଦେଖି ଯିବ

       ବାପା କରେ ନାହିଁ ନାହିଁ ।

ମାଆ ବୋଧ ଦିଏ କୋରନା ବୁଲୁଛି

      ଗଲେ ଯିବ ତୋତେ ଖାଇ ।୮।

ବିଚରା ବାଳୁତ ସରଳ ମନରେ

       ରାଗ ଜରଜର ହୋଇ ।

କିଏ ସ କୋରନା କାହିଁକି ବୁଲୁଛି

       ଭାବି ଭାବି ଯାଏ ଶୋଇ ।୯।

ମାଗୋ ଦୟାମୟୀ ବାରେ ଦୟାବହି

       ଜଗତ ମଙ୍ଗଳ ପାଇଁ ।

କୋରନା ରାକ୍ଷସ ଵଧ କରିବାକୁ

       ଶକ୍ତି କିବା ତୋର ନାହିଁ ।୧୦।

କେତେ ହନ୍ତସନ୍ତ ହେବୁ ଲୋ ଜନନୀ

       ଜୀବନ ଜୀବିକା ନାଶ ।

ଭୋକ ଉପାସରେ ମରିଯିବେ ସର୍ବେ

       ନାହିଁ ଆଉ ଅବକାଶ ।୧୧।

ମଙ୍ଗଳ କାରିଣୀ ଦୁର୍ଗତି ନାଶିନୀ

       ଅସହ୍ୟ କଷ୍ଟ ଓ ଦୁଃଖ ।

ଚରଣେ ଶରଣ ଦୋଷ କ୍ଷମା କରି

       କୋରନା କବଳୁ ରଖ ।୧୨।



Rate this content
Log in