STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

ହେ ପ୍ରିୟ ନେତାଜୀ

ହେ ପ୍ରିୟ ନେତାଜୀ

1 min
301


ହେ ପ୍ରିୟ ନେତାଜୀ କାହିଁ ଗଲ ହଜି

    ଝୁରୁଛି ଏ ଦେଶ ଆଜି,

ଦେଶର ସୁରକ୍ଷା ପାଇଁ ଜୀବନକୁ‌

    ଲଗେଇ ଦେଲ ହେ ବାଜି।


ମାଗିଲେ ମିଳେନି ସ୍ଵାଧୀନତା ଏଠି

    ଜୋର୍ କରି ଅଣାଯାଏ,

ହେ ସାହସୀ ବୀର ତୁମର ଏ ବାର୍ତ୍ତା

    ଦେହ ଦମ୍ଭ ଭରିଦିଏ। 


ଅଠରଶ ସତା‌ନବେ ମସିହାରେ

    କଟକରେ ଜନ୍ମ ନେଲ,

ମାତା ପ୍ରଭାବତୀ ପିତା ଜାନକୀଙ୍କ

    କୋଳ ଧନ୍ଯ କରିଥିଲ।


ଦେଶ ମାତୃକାର ସେବା କରିବାର

    ନେଇ ଦୃଢ଼ ଇଚ୍ଛାଶକ୍ତି, 

ଇଂରେଜୀ ଶାସନ ବିରୁଦ୍ଧରେ ନିଜେ

    ପତେଇଦେଲ ହେ ଛାତି।


ଆଜାଦ୍ ହିନ୍ଦ୍ ଫୌଜ ଗଢିଦେଇତୁମେ

    'ଜୟ ହିନ୍ଦ୍' ଡାକରାରେ,

କୋଟି ଯୁବକଙ୍କୁ ପ୍ରଭାବିତ କଲ‌

    ଭାରତ ମାତା ସେବାରେ।


ମୋତେ ରକ୍ତ ଦିଅ ସ୍ଵାଧୀନତା ଦେବି

    କହିଥିଲ ଦେଶ ହିତେ,

ଆମେ କିନ୍ତୁ ରକ୍ତ ଦେଶ ହିତେ ନୁହେଁ

    ଶୋଷୁଥାଉ ନିଜ ସ୍ବାର୍ଥେ।


ସ୍ଵାଧୀନତା ସ୍ଵାଦ ଚାଖିଲା ଏ ଦେଶ 

    କେବଳ‌ ତୁମରି ପାଇଁ,

ଆମେ କିନ୍ତୁ ଆଜି ଦେଶ ଲୁଣ୍ଠୁଅଛୁ

    ବଡ ବଡ ପାଜି ହୋଇ।


ତୁମ ଅନୁକମ୍ପା ସ୍ଵାଧୀନତା ପାଇ

   ଆମେ ହେଲୁ ସ୍ଵେଚ୍ଛାଚାରୀ,

ପରାଧୀନତାର ଶବ୍ଦ ଶୁଭେ ଖାଲି

   ସବୁଆଡେ ଜୁଆଚୋରୀ।


ନାରୀ ସ୍ଵାଧୀନତା ପାଏ ନାହିଁ ଆଜି

   ମଦୁଆଙ୍କୁ ପ୍ରୋତ୍ସାହନ,

ପଦବୀ ଆସନ ଗାଦୀ ପ୍ରଲୋଭନ

   ସଭିଙ୍କର ବଳେ ମନ।


ପ୍ରତି ରକ୍ତ ବିନ୍ଦୁ ତିଳତିଳ କରି

    ନିଜ ଦେହୁଁ ନିଗାଡିଲ,

ବ୍ରିଟିଶ୍‌ ବିରୁଦ୍ଧେ ଲଢେଇ କରି ହେ‌

    ବାରମ୍ବାର ଜେଲ୍ ଗଲ।


ପଦବୀ ଆସନ ବିନା କୋଟି ମନ

    ତୁମେ ଜୟ କରିଥିଲ,

ନେତାଙ୍କର ନେତା ତୁମେ ବୋଲାଇଲ‌

    ଅମର ହୋଇ ରହିଲ‌।


ଭାରତ ମାତାର ସୁଯୋଗ୍ୟ ସନ୍ତାନ

    ଆହେ କ୍ରାନ୍ତିକାରୀ ବୀର,

ଅଦମ୍ୟ ସାହସୀ ହେ ରାଷ୍ଟ୍ର ନାୟକ

    ଘେନ କୋଟି ନମସ୍କାର।


ପୁଣ୍ୟ ଜନ୍ମଦିନେ‌ ହେ ପ୍ରିୟ ନେତାଜୀ

    ଶ୍ରଦ୍ଧାଞ୍ଜଳୀ ମୋର ନିଅ,

ତୁମ ଆଦର୍ଶରେ ପ୍ରତି ହୃଦୟରେ

    ଦେଶପ୍ରେମ ଭରି ଦିଅ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy