STORYMIRROR

Partha Sabar

Tragedy

4  

Partha Sabar

Tragedy

ମକର

ମକର

1 min
270

ଆସୁଛି ମକର ହୋଇ ତରତର

   ଆମ୍ବ ବକୁଳକୁ ଧରି

ବକୁଳ ସୁବାସ ଦିଅଇ ହରଷ

  ମନରେ ଖେଳେ ଲହରି।

ପ୍ରତି ସଂକ୍ରାନ୍ତିରେ ଗୋଟିଏ ରାଶିକୁ

   ତପନ କରି ଗମନ

କରି ଅବସ୍ଥାନ ଆନ କରି ମନ

  ମକର ସଂକ୍ରାନ୍ତି ଦିନ।

ମକର ରାଶିକୁ ଉତ୍ତର ଆୟନ

 ହୋଇଥାନ୍ତି ଦିବାକର

ଶୁଭ କର୍ମ ମାନ ହୁଏ ସମାପନ

  ପ୍ରତିଷ୍ଠା ହୁଏ ମନ୍ଦିର।

ମକର ଦିବସୁ ବକର ଦିବସ

  ତେଜ ବଢ଼ିବଢ଼ି ଯାଏ

ଦିବାକର କର ହୁଅଇ ପ୍ରଖର

ଶୀତର ଆୟୁଷ ସରେ।

ଧର୍ମ ପୂଣ୍ୟ କାଳେ ଜପ ତପ କଲେ

   ସ୍ନାନାଦି ମହୋଦଧିରେ

ସକଳ ପାପରୁ ଜନ୍ମ ଜନ୍ମାନ୍ତରୁ

  ମୁକତି ସୁଗତି ମିଳେ।

ନୀଳାଚଳ ଧାମେ ପବିତ୍ର ମଗନେ

  ଉତ୍ତରାୟଣ ଯାତ୍ରା ହୁଏ

ଚତୁର୍ଦ୍ଧା ବିଗ୍ରହ ଦର୍ଶନ କରିଲେ

ଅଶେଷ ଫଳ ଯେ ମିଳେ।

କୃଷିର ପରବ ଉତ୍କଳ ଗୌରବ

 ନୂତନ ଶସ୍ୟ ହୁଅଇ

ଅରୁଆ ଚାଉଳ ଛେନା ଗୁଡ଼ ଘିଅ

ସ୍ୱାଦିଷ୍ଟ ବ୍ୟଞ୍ଜନ ହୋଇ।

ଗ୍ରାମରୁ ସହର ଦୋକାନ ବଜାର

ସଜବାଜ ହୋଇଯାଏ

ମକର ଚାଉଳ ଆମ୍ବର ବଉଳ

  ମଧୁର ମୂର୍ଚ୍ଛନା ଗାଏ।

ଉତ୍କଳ ମଣ୍ଡଳେ ଉତ୍ତର ଅଞ୍ଚଳେ

ନାଚ ଗୀତ ଭୋଜି ଜମେ

ନୂତନ ବସନ ହୋଇ ପରିଧାନ

  ଦିନ ବିତେ ସ୍ନେହ ପ୍ରେମେ।

ମକରର ଗୁଡ଼ି ମନ ସାଥେ ଉଡି

ଗଗନେ ପବନେ ଶୂନ୍ୟେ

ଚିନ୍ତା ଓ ଚେତନା ହୁଏ ଉର୍ଦ୍ଧ୍ବମନା

ଈଶ୍ୱର ଚିନ୍ତନ ଜ୍ଞାନେ।

ସଂସାର ଜଞ୍ଜାଳ ମନ ଟଳମଳ

  ଚେତନା ମୋ ନିମ୍ନଗାମୀ

ମୋ ମନ ଭାବନା ତୁମେ କି ଜାଣନା

 ଆହେ !ପ୍ରଭୁ ଅନ୍ତର୍ଯ୍ୟାମୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy