ହେ ବ୍ଯାସକବି
ହେ ବ୍ଯାସକବି
ଓଡ଼ିଆ ଜାତିର ବୀର ସେନାପତି
ଆହେ ଫକୀର ମୋହନ,
ତୁମ ଜନ୍ମ ତିଥି ପୂଣ୍ୟ ଅବସରେ
ଘେନ ମୋ କୋଟି ପ୍ରଣାମ।
ହେ କାଳଜୟୀ ସାହିତ୍ୟ ସାଧକ
ଓଡ଼ିଆର କର୍ଣ୍ଣଧାର,
ଆଧୁନିକ କଥା ସାହିତ୍ୟ ଜନକ
ଘେନ କୋଟି ନମସ୍କାର।
ଭାଷା ସାହିତ୍ୟକୁ ମହା ସଙ୍କଟରୁ
ଏକା ଥିଲ ରକ୍ଷାକରି,
ତେଣୁ ହୃଦୟରୁ ଭକ୍ତି ସହକାରେ
ଅର୍ପୁଛି କୁସୁମାଞ୍ଜଳୀ।
ହେ କଥା ସମ୍ରାଟ ଅଦ୍ୱିତୀୟ ସ୍ରଷ୍ଟା
ଓଡ଼ିଆ ଜାତିର ଗର୍ବ,
ଯୁଗ ଯୁଗ ପାଇଁ ପ୍ରତି ହୃଦୟରେ
ତୁମେ ପୂଜା ପାଉଥିବ।
ମକର ସଂକ୍ରାନ୍ତି ପୂଣ୍ୟ ତିଥି ନେଇ
ବାଲେଶ୍ଵରେ ଜନ୍ମିଥିଲ,
ପିତା ଲକ୍ଷ୍ମଣ ଓ ମାତା ତୁଳସୀଙ୍କ
କୋଳ ମଣ୍ଡନ କରିଲ।
ଅଠରଶ ତେୟାଳିଶ ଜାନୁଆରୀ
ତେର ତାରିଖକୁ ନେଇ,
ଅଲିଭା ପଞ୍ଜିକା ଲେଖି ଦେଇଗଲ
ଭୁଲି ପାରିବେ କି କେହି?
ଭୁଲି ହେବନାହିଁ ହେ ରସ ଶେଖର
ତୁମ ବ୍ୟଙ୍ଗ ସାହିତ୍ୟକୁ,
ଏବେବି "ରେବତୀ" ମରିନି ବଞ୍ଚିଛି
ତୁମ ଗୁଣ ଗାଇବାକୁ।
"ଡାକ ମୁନିସି"ର ଜୀବନ୍ତ ଚରିତ୍ର
କି "ପେଟେଣ୍ଟ୍ ମେଡିସିନି",
ସେହି "ରାଣ୍ଡୀ ପୁଅ ଅନନ୍ତା"କୁ ତୁମ
କେହି ଭୁଲି ପାରିବେନି।
ହେଉସୁନାବୋହୂକି"ପାଠୋଇ ବୋହୂ
ତୁମକୁ ମନେ ପକାଏ,
ଏମିତି ଅଜସ୍ର ଓଡ଼ିଆ କାହାଣୀ
ପ୍ରତି ହୃଦୟକୁ ଛୁଏଁ।
'ଛ' ମାଣ ଆଠ ଗୁଣ୍ଠ' ଉପନ୍ୟାସ
କୁହେ ଓଡ଼ିଆର କଥା
'ମାମୁଁ', 'ପ୍ରାୟଶ୍ଚିତ','ଲଚ୍ଛମା"ଇତ୍ୟାଦି
ଅମର ଲେଖନୀ ଗାଥା।
ଓଡ଼ିଆ ଭାଷାର ବାଣୀ ଭଣ୍ଡାରକୁ
ସମୃଦ୍ଧ କରିଛ ତୁମେ,
ଓଡ଼ିଆ ଭାଷାର ଆତ୍ମ ଜୀବନୀକୁ
ଲେଖିଛ କଲମ ମୁନେ।
ଘୃଣ୍ୟ କୁସଂସ୍କାର ଅସ୍ପୃଶ୍ୟତା ପାଇଁ
ସ୍ଵର ଉତ୍ତୋଳନ କଲ,
ଓଡ଼ିଆ ଜାତିକୁ ପ୍ରଗତି ପଥରେ
ଅଗ୍ରସର କରାଇଲ।
ତଥାପି ସରିନି ସରିବନି ତୁମ
ସାରସ୍ବତ ଅଭିଯାନ,
ପ୍ରତି ଜନ ପ୍ରାଣେ ତୁମେ ବଞ୍ଚିଅଛ
ବଞ୍ଚିଥିବ ସବୁଦିନ ।
ସଂସ୍କୃତ ଭାଷାର ମହାଭରତ ଓ
ରାମାୟଣ ଗ୍ରନ୍ଥମାନ,
ଓଡ଼ିଆ ପଦ୍ୟାନୁବାଦ କରିଗଲ
ଯାହା ତୁମ ଭାଷା ପ୍ରେମ।
ସମସ୍ତ ଦିଗକୁ ଲକ୍ଷ୍ୟ କରି ପୁଣି
ଲେଖନୀ ଚାଳନା କଲ,
ଶିଶୁ ଶିକ୍ଷା ପାଇଁ "ବ୍ୟାକରଣ" ତଥା
"ଅଙ୍କ ମାଳା" ସୃଷ୍ଟି କଲ।
ଭାରତ ବର୍ଷର ଇତିହାସ ଲେଖି
ଯାଇଛ ହେ ବ୍ଯାସକବି,
ଓଡ଼ିଆଟି ହୋଇ ବଞ୍ଚିଥିବା ଯାଏ
ତୁମକୁ ମନେ ରଖିବି।
ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ ଗଠନେ
ହେଲ ମୁଖ୍ୟ ସେନାପତି
ସାରା ଜଗତରେ ନିଜର ସ୍ଵତନ୍ତ୍ର
ପରିଚୟ କଲ ସୃଷ୍ଟି ।
ହେ ମହାପୁରୁଷ ହେ ଔପନ୍ୟାସିକ
ହେ ବ୍ୟାସକବି ଲେଖକ,
ତୁମ ଚରଣରେ ମୂର୍ଖ ଅଧମର
କୋଟି କୋଟି ଦଣ୍ଡବତ।
