STORYMIRROR

Kabiratna Nutan Kumar Behera

Abstract Drama Action

4  

Kabiratna Nutan Kumar Behera

Abstract Drama Action

ଫେରି ଆସ କୃଷ୍ଣ ଅପେକ୍ଷା ଅଛି ରାଧା

ଫେରି ଆସ କୃଷ୍ଣ ଅପେକ୍ଷା ଅଛି ରାଧା

1 min
299


ରାଈ ରାଈ ବାଜୁଥିଲା କାହ୍ନୁର ବଇଁଶୀ,

ମଧୁର ମୂର୍ଚ୍ଛନା ତା' ନେଉଥିଲା ଆକର୍ଷି।

    ଯମୁନା କୂଳେ କଦମ୍ବ ମୂଳେ ଗୋପୀ ଆସି,

    ନାଚି ଖେଳି ଗାଇ ହେଉଥିଲେ ଭାରି ଖୁସି।

କାହ୍ନା ସାଥେ ଗୋପ ନାରୀମାନେ ମିଶି

କେତେ ରସ ରଙ୍ଗେ କ୍ରୀଡା କରୁଥିଲେ ହସି।

       ପର ଘର କୁଳ ଭୁଆସୁଣୀ ରାଧାରାଣୀ,

      କଳସୀ ଧରି ସେ ଆସୁଥିଲା ପାଣିଆଣି।

ସେ ନଟ ନାଗର କାହ୍ନା ତା' ବାଟ ଓଗାଳି,

ଭାଙ୍ଗୁଥିଲା ପାଣି ମାଠିଆ ମାରି ବାଟୁଳି।

    କାହ୍ନାର ବଇଁଶୀ ସ୍ବରେ ରାଈ ହୋଇ ବାଇ,

    ଡାକି ଡାକି ଆସୁଥିଲେ କହ୍ନେଇ କହ୍ନେଇ।

ରାଈ କାହ୍ନା ପ୍ରେମଲୀଳା ଦେଖି ଏ ଜଗତ,

ଭାବ ବିହ୍ବଳରେ ହେଉଥିଲେ ଯେ ଚକିତ।

      ପୁରାଣେ ବର୍ଣ୍ଣିତ ଏ ପ୍ରେମ ଗାଥା ଅମୃତ,

      ଅନନ୍ୟ ଯୁଗଳ ମିଳନ ଚିର ଶାଶ୍ଵତ।

ଆଜି ସେ କାହ୍ନାର ବଇଁଶୀ ଶୁଭୁନି ଆଉ,

ମନ ପ୍ରାଣେ ରାଧାକୃଷ୍ଣ କଥା ଝୁରି ହେଉ।

    ଫେରି ଆସ କୃଷ୍ଣ ଅପେକ୍ଷା କରିଛି ରାଧା,

    ହୃଦୟରୁ ନିତ୍ଯ ରାସରେ ଝରିବ ସୁଧା।

ସ୍ଥୂଳ ଅର୍ଥେ ବୁଝି ତାଙ୍କ ଏ ପ୍ରେମ କାହାଣୀ,

ସୂକ୍ଷ୍ମର ମହତ୍ବ ମର୍ମରୁ ଭୁଲନ୍ତି ପ୍ରାଣୀ।

        ଶରୀର କଦମ୍ବ ବୃକ୍ଷ ଜୀବନ ଯମୁନା,

       ଜୀବ ପରମଙ୍କ ନିତ୍ୟରାସର ତୁଳନା।

ଗୋପାଙ୍ଗନା ରୂପେ ଇନ୍ଦ୍ରିୟ ସକଳ ଗଣା,

ଅନ୍ତର୍ଦୃଷ୍ଟିରେ ଜ୍ଞାନୀଗୁଣୀଙ୍କୁ ପଡ଼େ ଜଣା।

      ହୃଦୁ ନିସୃତ 'ଓଁ'କାର ଧ୍ବନି ବଂଶୀସ୍ବନ,

      ଅହରହ ଘଟେ ସଞ୍ଚାର କରେ ଜୀବନ।

ଦେହ କାହ୍ନାର ବଇଁଶୀ ଜୀବ ଅଟେ ରାଧା,

ପରମ ରୂପେ ସିଏ ଦୂର କରିନ୍ତି ବାଧା।

    କର୍ମ ଧର୍ମ ଜ୍ଞାନ ମାର୍ଗେ ବାଜୁନି ବଇଁଶୀ,

    ଲୋଭ ମୋହରେ ମଣିଷ କାଟେ ଦିବାନିଶି।

ଅନୁଭବେ ବିଜ୍ଞଜନ ଜାଣି ଏଇ ତତ୍ତ୍ଵ,

ସାତ୍ତ୍ଵିକଭାବେ ପାଳି ରଖନ୍ତି ତା'ମହତ୍ତ୍ଵ।

    ଫେରି ଆସ କୃଷ୍ଣ ଅପେକ୍ଷା କରିଛି ରାଧା,

     ତୁମରି ପ୍ରେମେ ମଧୁମୟ ହେବ ବସୁଧା।


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract