ପଦଟିଏ ତୋ ନାଁରେ ପ୍ରିୟା ୪୪
ପଦଟିଏ ତୋ ନାଁରେ ପ୍ରିୟା ୪୪
ଶୀତୁଆ ସକାଳର
ସୂର୍ଯ୍ୟଙ୍କ ସୁନେଲୀ କିରଣରେ
ଚକ୍ ମକ୍ ଚକ୍ ମକ୍ ହେଉଥିବା
କାକର ଟୋପା ଭିତରେ
ତୁମର ହସ ହସ ମୁହଁ ଦେଖେ ତ
ପରସ୍ତ ପରସ୍ତ ଶୀତ ବସ୍ତ୍ର ଉତୁରିଯାଏ ।
ବରଫ ହୃଦୟ ପାଣି ହୋଇ ବହେ ।
ବଣ ପାହାଡ ଭିତରେ
କୁଳୁ କୁଳୁ ବହିଯାଉଥିବା
ଝରଣାର ପାଣିରେ
ତୁମର ସୁମଧୁର କଣ୍ଠସ୍ଵର ବହିଆସେ ତ
ବ୍ରାହ୍ମ ମୁହୂର୍ତ୍ତରେ ତର୍ପଣ କରି
ବ୍ରହ୍ମଚର୍ଯ୍ୟ ମାଗୁ ମାଗୁ ମୁଁ
ଅଚାନକ ପିତୃତ୍ଵ ମାଗିବସେ ।
ନଈ ପଠାରେ ସାନ୍ଧ୍ୟଭ୍ରମଣ କରୁ କରୁ
କାଚ କେନ୍ଦୁ ପାଣି ଭିତରେ
ତୁମ ମୁହଁ ପୂର୍ଣିମା ଚାନ୍ଦ ସହ
ଉଦ୍ଭାସିତ ହୁଏ ତ
ହଠାତ ଡେଇଁ ପଡି
ମୃତ୍ୟୁକୁ ଆବୋରି ନେବାକୁ ଇଚ୍ଛା ହୁଏ ।
ଏଇମିତି ବାରମ୍ବାର
ତୁମ ସହ ଭେଟ ହୁଏ
କିନ୍ତୁ କୋଉଠି
ତୁମ ଛୁଆଁ ମିଳେନି ।
ଶେଷରେ କବିତା ଲେଖିବସେ
ଆଉ ତା’ ଭିତରେ ହିଁ
ତୁମକୁ ମୁଁ ଛୁଇଁପାରେ ,
ଚୁମିପାରେ, ଅନ୍ତରଙ୍ଗ କରିପାରେ;
ଛାତିରେ ମୋ ବାନ୍ଧି ରଖିପାରେ ।