ପାଉଁଶ ତଳର ସ୍ୱପ୍ନ
ପାଉଁଶ ତଳର ସ୍ୱପ୍ନ
ପାଖୁଡ଼ା ଗୁଡିକର ନିବୁଜ ଓ କୋମଳ କଳେବର ଭିତରେ
ନା ଥାଏ ଫୁଟିବାର ପ୍ରବଳ ଆକାଂକ୍ଷା
ନା ଥାଏ ମଉଳି ଯିବାର ଭୟ ଓ ପ୍ରତୀକ୍ଷା
ଯଦି କିଛି ଥାଏ
ତେବେ ଏକ ନିଷ୍କପଟ ହୃଦୟର ନିଷ୍କ୍ରିୟତା
ଓ ଏକ ସମାଧିସ୍ଥ ଚେତନାର ଉଦାସୀନତା।
ସେଠି ବସା ବାନ୍ଧି ନଥାଏ ସ୍ୱପ୍ନର ବାୟାବସା
କିମ୍ବା ବିଚାର ବସେନି ସେଠି ସତ-ମିଛ କି ଭୁଲ-ଠିକ୍ ର
ଯଦି କିଛି ଥାଏ
ତେବେ ଏକ ସଂଶୟହୀନ ସାଗରର ପ୍ରଶାନ୍ତି
ଓ ଏକ ଅବିଚଳିତ ଶରତର ଅଭିବ୍ୟକ୍ତି।
ପ୍ରତିଯୋଗିତାର ମାୟାରେ ଉଠେନା କେବେ ଘୁର୍ଣ୍ଣିଝଡ଼
କିମ୍ବା ଈର୍ଷାର ବନ୍ୟାରେ ସେଠି ଭଙ୍ଗେନା ବନ୍ଧବାଡ଼
ଯଦି କିଛି ଥାଏ
ତେବେ ଏକ ଅନନ୍ତ ଆକାଶର ଗାଢ଼ ନୀଳିମା
ଓ ଏକ ଯୋଜନା-ରହିତ ଯାତ୍ରାର ଯୋଜିତ ପତ୍ରନାମା।
ଋତୁଚକ୍ରର ପୂର୍ବାନୁମାନରେ ବ୍ୟତିବ୍ୟସ୍ତ ହୁଏନା ଚିତ୍ତ
ପରିଚିତିର ମୋହରେ ସେ କେବେ ହୁଏନା ପୀଡ଼ିତ
ଯଦି କିଛି ଥାଏ
ତେବେ ଏକ ନିର୍ମୋହି ଭାବନାର ସୌରଭ
ଓ ଏକ ତରଙ୍ଗହୀନ ଜଳସ୍ତରର ସ୍ବଛ ଅନୁଭବ।
ଛଳନାର ମାୟାଜାଲରେ ସେଠି ରାତି ହୁଏ ନାହିଁ
ଅହଂକାରର ରୌଦ୍ରତାପରେ ତାର ପାଦ ପୋଡ଼େନାହିଁ
ଯଦି କିଛି ଥାଏ
ତେବେ ଏକ ଆଦ୍ୟଫୁଟା କୋମଳ କଢ଼ିର ସ୍ୱସ୍ୱରୂପ
ଓ ସୁଦୂର ମହାସାଗରରେ ଢଳଢଳ ହେଉଥିବା
ଏକ ତପସ୍ୟାରତ ଅନ୍ତରୀପ।
କେବେ ପଥର ତଳେ ଲୁଚିଥିବା ଭବିଷ୍ୟର ବୀଜ
ପାଉଁଶ ତଳେ କୁହୁଳୁ ଥିବା କିଛି ଅନାବିଳ ପ୍ରେମର ଦରଜ
ସେ ନବାରୁଣ ସୂର୍ଯ୍ୟ ହେଉ କିମ୍ବା ଏକ ପ୍ରାରମ୍ଭିକ ସମ୍ଭାବନା
ସଂକଳ୍ପରତ ଏକ ସୁପ୍ତ ସ୍ୱପ୍ନର ତପସ୍ୟା ପୁର୍ଣ ହୁଏ ନିଶ୍ଚେ
ଆଶୁ ପଛେ କଠିନରୁ କଠିନ ବେଦନା।
