ପାପ ପଞ୍ଜୁରୀରେ ପୂଣ୍ୟ ଶାରୀ
ପାପ ପଞ୍ଜୁରୀରେ ପୂଣ୍ୟ ଶାରୀ
ରାଗ:- ବଙ୍ଗଳା ଶ୍ରୀ
ମନୁଷ୍ୟ କୁ ଦେଖ କିପରି ତା କର୍ମ
ରଖିଛି ପାପ ପଞ୍ଜୁରୀ
ନିରୀହ ଶାରୀ କୁ ରଖିଛି ବନ୍ଧନେ
ପାଉ ଖୁସି ଅଛୁ ଭାରୀ !!
ଏ ଡାଳ ସେ ଡାଳ ଉଡ଼ିବା ର ପକ୍ଷୀ
ସୁମଧୁର ତାର ରାବ
ରହିଛି ବନ୍ଧନେ ପଞ୍ଜରୀ ଭିତରେ
କଷ୍ଟ ଓ ଯନ୍ତ୍ରଣା ଭାବ !!
ତଥାପି ଗାଉଛି କୃଷ୍ଣ ରାମ ରାମ
ଗାଉ ଅଛି ଶିବ ଶିବ
ରହି ପଞ୍ଜୁରୀରେ ପୂଣ୍ୟ କରୁଅଛି
ପ୍ରଭୁ ପ୍ରତି ଭକ୍ତି ଭାବ !!
ଶାରୀ କରୁ ଅଛି ଈଶ୍ଵର ଭକତି
ଅର୍ଜୁ ଅଛି ପୂଣ୍ୟ ନିତି
ଅଜ୍ଞାନୀ ମାନବ ରଖିଛି ବନ୍ଦୀରେ
ପାପ ଅର୍ଜୁ ଅଛି ଅତି !!
ଜ୍ଞାନୀ ହୋଇ କରେ ଅଜ୍ଞାନୀ କାର୍ଯ୍ୟକୁ
ନିଜ ଚିନ୍ତା କରେ ନାହିଁ
ଏପରି ବନ୍ଧନେ ରଖିଲେ ମନୁଷ୍ୟ
ଚିନ୍ତା ତିଳେ ତାର କାହିଁ !!
ଉଡ଼ନ୍ତା ପକ୍ଷୀକୁ ଦେଉଛି ଯନ୍ତ୍ରଣା
କିପରି ମନୁଷ୍ୟ ଜାତି
ଧର୍ମ କର୍ମ ନାହଁ ସ୍ବାର୍ଥରେ ଜଡ଼ିତ
ଗର୍ବ ଅହଙ୍କାର ଅତି !!
ହୀନ ମଣୁ ଅଛି ଜୀବ ପଶୁ ପକ୍ଷୀ
ଧିକ୍କାର ମନୁଷ୍ୟ କର୍ମ
ସମଭାବ ପ୍ରୀତି ଅଟେ ଦରକାର
ଅଟେ ତା ମାନବ ଧର୍ମ !!
ଆସ ଆସ ବନ୍ଧୁ ଛାଡି ଦିଅ ଶାରୀ
ଉଡ଼ନ୍ତା ପକ୍ଷୀ ସେ ପରା,
ନିଜ ଖୁସି ପାଇଁ ନ ରଖ ଗୃହରେ
ଉଡୁ ଗଛ ଗଛ ସାରା !!