ପାଲା ଓ ଗାଆଁଣ
ପାଲା ଓ ଗାଆଁଣ
ମୁକ୍ତ ମଞ୍ଚେ ହୁଏ ଯାହା ଅଭିନୟେ
ପ୍ରକାଶେ ଜାତି ଗାରିମା
ଉଜ୍ଜ୍ବଳ ଉତ୍କଳ କଳାର ଉତ୍କର୍ଷ
ଗୌରବ ମୟ ଭଙ୍ଗମା ।
ଲାଲିତ୍ୟ ଫୁଟାଇ ଆନନ୍ଦ ଲହରୀ
ଖେଳାଇ ଜନ ଜୀବନେ
ଅରପେ ବିପୁଳ ଭାବ ର ଭଣ୍ଡାର
ମାଧୂର୍ଯ୍ୟ ମୟ ଭୂଷଣେ ।
ଲୋକ ବାଣୀ ଲୋକ କଥା ଲୋକ ନାଟ୍ୟ
କଳା କୌଶଳ ବିପୁଳ
ମୃଦୁଙ୍ଗ ର ତାଳେ କଳାକାର ମାନେ
ନାଚି ଗାଇ କୌତୁହଳ ।
ପ୍ରଦର୍ଶିତ କରି ମନ ପ୍ରାଣ ହରି
ନିଅନ୍ତି ଦର୍ଶକ ଙ୍କର
ପୌରାଣିକ ଆଖ୍ୟାନ ଓ ଉପାଖ୍ୟାନ
ଅଭିନୀତ ସୁରୁଚିର ।
ବେଶ , ବାସ , ଭୂଷା ହୋଇ ଥାନ୍ତି ପାଲା
ଗାଇବା ପାଇଁ ପାଳିଆ
ପାଳି ଧରି ଯହିଁ ଗାୟନ କରନ୍ତି
ଗାଆଁଣ ମଞ୍ଚ ଯେ ତାହା ।
ହସ କଉତୁକେ ବିସ୍ମିତ କରନ୍ତି
ନିଅନ୍ତି ମୋହି ଦର୍ଶକେ
ପାଲା ଓ ଗାଆଁଣ , ଗାଆଁ ରେ କରିଣ
ମୁର୍ଖ ଲୋକ ଯହିଁ ଶିଖେ ।
ପଣ୍ଡିତ ପାଳିଆ ଗାୟନ ଗାଇଣ
ନାଚନ୍ତି ଦାସକାଠିଆ
ମୁଖ୍ୟ ଗାୟକ ଓ ଗାୟିକା ସହିତ
ପାଳିଆ ଛୁଆ ଏ ଠିଆ ।
ଚାମର ଧରିକି ବିଞ୍ଚି ସୁବାସିତ
କରି ଥାନ୍ତି ସେ ଚେତନା
ଗିନି ଖୋଳ ଆଉ ମୃଦୂଙ୍ଗ ବାଇଦ
ତାଳେ ତାଳେ ଧୀନା ଧୀନ। ।
ନାଚ ଗୀତ ଗାଇ ମଉଜ ଭିତରେ
ସାହିତ୍ୟ ଚର୍ଚ୍ଚା କରନ୍ତି
ପ୍ରାଚୀନ କାଳର ଲେଖକ ମାନଙ୍କ
ଦୋଷ ଗୁଣ ବଖାଣନ୍ତି ।
ଅଳଙ୍କାର , ଛନ୍ଦ ତାଳ , ଲୟ , ସ୍ୱର ,
ପ୍ରବାଦ ଓ ପ୍ରବଚନ
ଏହି କାର୍ଯ୍ୟକ୍ରମ ମାଧ୍ୟମ ରେ କରି
ଥାଆନ୍ତି ସମାଲୋଚନ ।
ଓଡ଼ିଆ ସଂସ୍କୃତି ଆଉ ରୀତି ନୀତି
ଉପଦେଶ ଅନୁସାରେ
ଗବେଷଣା ହୋଇ ପାଲା ଥାଏ ହୋଇ
ପାଳିଆ ଗାୟନ କରେ ।
ଲୋକ ସଂସ୍କୃତି ର ଏଇ ଧାରା କ୍ରମେ
ଦ୍ରୁତ ଗତିରେ ଲୁପତ
ହୋଇ ଉଠେ ଏବେ ଦେଖି କି ଚକିତ
ଚିତ୍ତ ହୁଏ ପ୍ରକମ୍ପିତ ।