ଶତାବ୍ଦୀଟେ ମୋଲାଗି ଯାଇଅଛି ସରି
ଶତାବ୍ଦୀଟେ ମୋଲାଗି ଯାଇଅଛି ସରି
1 min
13.1K
ଶତାବ୍ଦୀଟେ ମୋଲାଗି ଯାଇଅଛି ସରି
ପ୍ରିୟଙ୍କା ପ୍ରିୟଦର୍ଶନୀ ଦାସ
ଭଲଲାଗେ ହୃଦୟ ମୋ ମେଲି ଦେବା ଲାଗି,
ନରମ ଯେଉଁ ଗବାକ୍ଷେ ତୁମେ ଆତଯାତ ।
ଭଲ ଲାଗେ, ପଢ଼େ ସେଇ ଟୁକୁରା କାଗଜ,
ଅବିନାଶୀ ହଜିଲା ସେ ପ୍ରୀତିର ଅତୀତ ।।
ସହର ଶୋଇଲା ପରେ ସେଇଠି ଆରମ୍ଭେ,
ଗୋପନ ପ୍ରଣୟ ଆମ ନିଶି ଆସାଦ୍ୟରେ;
ପିଆଲା ଓଠରେ ତୁମ ଚୁପିଚୁପି କଥା
ଅନ୍ତର୍ମନ ମୋର ଜିଣି ନିଏ ନିଃସର୍ତ୍ତରେ ।।
ତୁମ ପ୍ରେମ ସଞ୍ଚିଥିଲା ଶ୍ୟାମଳ ସପନ,
ଗଢୁଥିଲି ବାଲିଘର ରାତିର ତନ୍ଦ୍ରାରେ ।
ଅଭିଶପ୍ତ ଥିଲାକି ସେ ମିଳନ ଅଧ୍ୟାୟ;
ଭଗ୍ନ ଆଜି ଆଶା କାହା ନିର୍ମମ ପ୍ରହାରେ ।।
ସ୍ମୃତି ଚିହ୍ନ ହୃଦୟରେ ସାଇତିବା ଲାଗି
ଲହୁକୁ କରିଛି ଲୁହ, ପାରିନାହିଁ ମରି ।
ତୁମେ ଗଲାପରେ ଦୂରେ ଜାଣକି ସେଦିନୁ
ଶତାବ୍ଦୀଟେ କ୍ଷଣକେ ମୋ ଗଲା ଅପସରି !!

