ପାଦ
ପାଦ


ଏବେ ଆଉ ପାଦ ମୋର ହଲଚଲ ହୁଏ ନାହିଁ ।
ପାଉଁଜିର ତାଳେ ତାଳେ ଉନ୍ମାଦ ହେଇ ନାଚି ଉଠେ ନାହିଁ ।
ଶ୍ରାବଣର ପ୍ରଥମ ଡାକରେ କିନ୍ତୁ ହାତ ବଢିଯାଏ ଉଈ ଖିଆ ଝର୍କା ସେପାଖକୁ , ପାପୁଲି ଭିତରେ ମୁଠେଇ ଧରିବାକୁ କିଛି ଓଦା ଜଡସଡ ସ୍ମୃତିକୁ ।
ହେଲେ ଧାଇଁ ପାରେ ନାହିଁ , ସେଦିନ ଯେମିତି ଧାଇଁ ଯାଇଥିଲି ଗାଁ ଦାଣ୍ଡରେ ଧୂଳି ଉଡେଇ ବୁଢା ମାଷ୍ଟ୍ରେଙ୍କ ବେତ ମାଡ ଦରରେ ।
କେମିତି ଧାଇଁଲି କେଜାଣି,ଆଜି ଯାଏ ଫେରି ପାରୁ ନାହିଁ ।
କେତେ ବର୍ଷ , କେତେ ମାସ , କେତେ ଯେ ବସନ୍ତ ।
ଭାର ଥୋର , ସଂଜଦ୍ବୀପ , ଚଉରା ମୂଳ ପର୍ଯ୍ୟନ୍ତ ।
ଅଭିମାନ , ରାଗରୁଷା , ମାନସିକ ବ୍ରତ ଓଷା ,
ସବୁ ତ ସରିଲା ।
ତଥାପି ମୋ ପାଦ ଥକୁ ନାହିଁ ।
ମୋ ଚାଲିବା ସରୁନାହିଁ ।
କସ୍ତୁରୀ ବିମଣ୍ଡିତ ମାୟା ମିରିଗର ମୋହରେ ପଡି ଚାଲି ଆସିଲିଣି ବୋଧେ ଗୁଡାଏ ବାଟ ।
ଏଇଠୁ ଥାଇ ଦିଶିଯାଉଛି ଧର୍ମ ସଂକଟର କାକର ଉପରେ ଫିକା ପଡିଥିବା ପାଦଚିହ୍ନ ସବୁ ।<
/p>
ଠାଏ ଠାଏ ବାଲି ଉପରେ ପଡିଥିବା ରକ୍ତଛିଟା ସବୁ ।
କେଜାଣି , କେତେଥର ବାଟ ଚାଲୁ ଚାଲୁ କଣ୍ଟା ଫୁଟି ଲହୁଲୁହାଣ ହେଇଥିବ କଅଁଳ ପାଦ ମୋର ।
ତାଜା ତାଜା ରକ୍ତର ବାସ୍ନା ରେ ଲାଳାୟିତ ହେଇଥିବେ କିଛି ଅବିଛେଦ୍ୟ ଅଙ୍ଗ ମୋର ।
ଧାରୁଆ ଜିଭ କାଢି ଚଟ ଚାଟ ସଫା କରିଦେଇଥିବେ କ୍ଷତାକ୍ତ ପାଦ କୁ ମୋର ।
ଅଟ୍ଟାହାସ୍ୟ କରିଥିବେ ମୋ ଯନ୍ତ୍ରଣା ଜର୍ଜରିତ ଆହତ ହୃଦୟକୁ ଚାହିଁ ।
ସମୟ କ୍ରମେ ସମସ୍ତେ ମିଳିମିଶି ବାନ୍ଧି ଦେଇଥିବେ ମୋ ପାଦରେ ଆତ୍ମଗ୍ଲାନିର ଶିକୁଳି।
ଏବେ ଆଉ ଦିଶିବନି ପାଦଚିହ୍ନ ମୋର ।
ଭିଜିବନି ରକ୍ତଛିଟାରେ ବେଳାଭୂମିର ବାଲି ମୁଠା ମୁଠା ।
ମୋ ପାଦରେ ବି ବୋଳା ହେବ ଅଳତା ଚନ୍ଦନ ଆଉ କିଛି ଆତ୍ମ ପ୍ରତ୍ୟୟର ଲେପ ।
ମୁଁ ଫେରିବି , ନିଶ୍ଚୟ ଫେରିବି ।
ଆଉ ଥରେ ଚାଲିବା ଶିଖିବି , ଧାଇଁବା ଶିଖିବି ।
ଏଥର କିନ୍ତୁ ଫେରିବାର ବାଟଚିହ୍ନଟିକୁ ମନେ ରଖିଥିବି ।
ସାଗରିକା ମହାନ୍ତି
ନବୀ ମୁମ୍ବାଇ