ଓଠ ତଳ ହସ"
ଓଠ ତଳ ହସ"
ଓଠ ତଳ ହସ ଲୁଚାଇ ବୁନି ତୁ
ଝରାଇବୁ ସବୁବେଳେ,
ନୁଆ ଦୁନିଆ ତୋ ଅପେକ୍ଷା କରିଛି
ତୋଳି ନେବେ ଅଞ୍ଜୁଳିରେ।
ଆଣିଛିନ୍ତି ତୋତେ ବାପା ,ମାଆ ତୋର
ସସମ୍ମାନେ ଏହି ଘରେ,
ଜନ୍ମ ନ ଦେଲେ ବି ଜନ୍ମଦାତା ଭଳି
ରହିବୁ ତାଙ୍କ ପାଖରେ।
ଜୀବନ ସାଥି ତୋ ହୀରା ଲିଳା ମୋତି
ନ ଦେଲେ ଦେବ ଜୀବନ,
ସୁଖ ,ଦୁଃଖ ,ହସ ,କାନ୍ଦ ସାଥେ ସାଥି ହେବ
ସଜାଇବ ତୋର ମନ।
ତୋ ଓଠ ତଳ ହସ ବିନିମୟେ
କିଣିନେବୁ ସବୁ ଘରେ,
ନିଜ ସମ୍ପର୍କୀୟ ମାନଙ୍କ ଅଭାବ
କେବେ ନ ଭାବିବୁ ଥରେ।
ଏ ଘରେ କେବେ ଶାଶୁ ନରହିବ
ଶ୍ଵଶୁର ତ ବାପା ହେବେ,
ଶାଶୁ ମାଆ ହୋଇ ତୋ ହସ ସାଇତି
ଇତିହାସ ତ ରଚିବ।
ତୋ ଶାଶୁମା ର କଥାରେ ଭରସା
କରିଥିବୁ ସଦା ମାଆ,
ବିଶ୍ଵାସ ହରାଇ ହତାଶ ହେବୁନି
ପ୍ରତିଜ୍ଞା ତ ମୋର ଏହା।
ଟିକେ ହସିଦେଲେ ମଧୁ ଝରିଯାଏ,
ତୋ କଥାରେ ଝରଇ ସୁଧା,
ଅଳପ ଲାଜରେ ଫୁଲ ଫୁଟିଯାଏ
ଚାହାଣିତ ମନ ଲୋଭା ।
ବୋହୁ ଘରେ ଥିଲେ ତୁଳସୀ ଚଉରା
ବାସୁ ଥାଏ ମହମହ
ଖୁସିର ମଳୟ ସଦା ବହିଯାଏ
ପୁଲକିତ ଯେ ହୃଦୟ ।
ଅଗଣାରେ ଖେଳେ ସାତରଙ୍ଗୀ ରଶ୍ମି
ନୂତନ ଜୀବନ ଆସେ
ପ୍ରେମର ପୁଲକେ ପୁଲକିତ ପ୍ରାଣ
ଆଶୀର୍ବାଦ ର ହରସେ।
ସାତ ଜନମର ସମ୍ପର୍କ ଏ ଅଟେ
ଯୋଡିବ ସମ୍ପର୍କ ସେତୁ,
ମଧୁର ବଚନେ ହୃଦୟ କିଣିବ
ସୁନା ବୋହୁ ଅଟୁ ତୁ ।