କନ୍ୟା କୁମାରୀ
କନ୍ୟା କୁମାରୀ
ଆଷାଢ଼ରେ ଗଲି ପୁରୀ,
ଶ୍ରାବଣରେ ଗଲି କନ୍ୟାକୁମାରୀ ଲୋ
ଦେଖିଲି ଶିବଙ୍କ ନାରୀ l
ରଥରେ ନୀଳ ଚନ୍ଦ୍ରମା,
ରୁଷ୍ଠ ହୋଇଲେଣି ସିନ୍ଧୁଙ୍କ ଜେମା ଲୋ
ରଥ ଚାଲେ ଘିରି ଘିରି l
ଶ୍ରାବଣେ ଶିବ ଦର୍ଶନ,
କରିବାକୁ ଗଲି ବଳାଇ ମନ ଲୋ
ବନ୍ଦିଲି ଶୈଳ କୁମାରୀ l
ପତ୍ର ନ ଭକ୍ଷୀ ଅପର୍ଣ୍ଣା,
ତପ କରୁଛନ୍ତି ଗୋଉରୀ ବର୍ଣ୍ଣା ଲୋ
ଲଭିବେ କାଳେ କାମାରି l
ଶିବ କାଳେ ଆଶୁତୋଷ,
ହିମବନ୍ତ ଜେମା କିଆଁ ନିରାଶ ଲୋ,
କାନ୍ଦନ୍ତି ମେନା ସୁନ୍ଦରୀ l
ବିବାହ ହୋଇଲା ସ୍ଥିର,
ଦେବତା ରଚିଲେ ବଡ଼ ଚକର ଲୋ,
ଶିବ ହେଲେ ବ୍ରହ୍ମଚାରୀ l
ଶୂଚିନ୍ଦ୍ରମେ ହନୁମାନ,
ବିବାହେ ଢ଼ାଳିଲେ ବଡ଼ ବିଘନ ଲୋ
ଦେବୀ ରହିଲେ କୁମାରୀ l
ବାହା ଅକ୍ଷତ ଚାଉଳ,
ଫିଙ୍ଗି ଦେଲେ ସବୁ ତ୍ରିସିନ୍ଧୁ ଜଳ ଲୋ
ଭାଷେ ଏବେ ବାଲି ପରି l
ବସିଛନ୍ତି ତପ କରି,
ଶିବଙ୍କୁ ଯେବେ ନ ପାରିବେ ବରି ଲୋ
ରହିବେ ଚିର କୁମାରୀ l
କଳିଯୁଗ ହେଲେ ଶେଷ,
ତୋଷହେବେ କାଳେ ଶ୍ରୀଆଶୁତୋଷ ଲୋ
କନ୍ୟା ରହିଲା କୁମାରୀ l
ବିବେକାନନ୍ଦ ପର୍ବତ,
ସନ୍ଥ ତୋଳିଛନ୍ତି କଲ୍ୟାଣ ହାତ ଲୋ
ଗେରୁ ବସ୍ତ୍ର ପିନ୍ଧିକରି l
ଥିରୁଭାଲୁ ମହାକବି,
ଥିରୁକୁରାଲ ସେ ବିଚିତ୍ର ଛବି ଲୋ
ନମେ ଯୋଡ଼ ହସ୍ତ କରି l
କନ୍ୟା କୁମାରୀ ଦର୍ଶନ,
ତ୍ରିସିନ୍ଧୁ ଜଳରେ ପବିତ୍ର ସ୍ନାନ ଲୋ
ନମସ୍ତେ ହର ଗୋଉରୀ l
ଆଶୁତୋଷ ପଦେ ଅଳି,
କଲ୍ୟାଣ କରନ୍ତୁ ପର୍ବତ ବାଳୀ,
ଯାଆନ୍ତୁ କୈଳାଶ ପୁରୀ ।