ଓଡ଼ିଆ ଜାତିର ଲଢୁଆ ବୀର- 08: ଗୁରୁବାରୀ ମେହେର
ଓଡ଼ିଆ ଜାତିର ଲଢୁଆ ବୀର- 08: ଗୁରୁବାରୀ ମେହେର
ସୋନପୁର ରାଜା ମାରୁଥିଲେ ମଜା ପ୍ରଜାଙ୍କୁ କଷଣ ଦେଇ,
ଅନ୍ଧାରୀ ଶାସନ ଟିକସ କଷଣ ପ୍ରଜା ପାରିଲେଣି ସହି |
ଇଂରେଜ କମ୍ପାନୀ ହାତରେ ଲଗାମ ପ୍ରତିବାଦ କଲେ ଦଣ୍ଡ,
ମେଳି-ଗଣ୍ଡଗୋଳ ଅପରାଧ କଲେ କାଟି ନିଆଯାଏ ମୁଣ୍ଡ |
ବଢି ଚାଲିଥିଲା ଶାସକ ଜୁଲୁମ ଟିକସର ପରିମାଣ,
ଜନ ଅସନ୍ତୋଷ ଦାନା ବାନ୍ଧିବାନ୍ଧି ରୂପନେଲା ଆନ୍ଦୋଳନ |
ଅନ୍ୟାୟ ଟିକସ ପ୍ରତିବାଦ କରି ବାହାରିଲା ପଟୁଆର,
ଗୁରୁବାରୀ ବୁଢୀ ଆଗରେ ଚାଲିଛି ହାତରେ ପତାକା ତା’ର |
ମାଆ ଗୁରୁବାରୀ ପ୍ରେରଣା ଦାୟିନୀ ଯୁବକ ଉଠିଲେ ମାତି,
ଜୀବନ ଦେବାକୁ ଶପଥ କରିଲେ ଫୁଲାଇ ନିଜର ଛାତି |
ଘେରାଉ କରିଲେ ପୁଲିସ ଦଳକୁ ଦାନଗଦି ଯୁବନେତା,
ଲାଠିମାଡ଼ ଆଉ ବନ୍ଧୁକ ମୂନରେ କେତେ ହରାଇଲେ ଚେତା |
ପୁଲିସ ମାଡ଼କୁ ଖାତିରି ନକରି ଦେଲେ ଜୟଧ୍ଵନି ମାନ,
ଆଦେଶ ଆସିଲା-ଉଠାଅ ବନ୍ଧୁକ ନିଅ ଆଗ ବୁଢୀପ୍ରାଣ |
ପୁଲିସ ଭୁଷିଲା ମାଆର ପେଟରେ ବାୟୋନେଟ ଗଲା ଗଳି,
‘ପୋଡ଼ିଯାଉ ତମ ଶାସନ ନିୟମ’ କହି ସେ ପଡ଼ିଲା ଢଳି |
ଭୁଲି ପାରିବା କି ମାଆ ଅବଦାନ ସେଦିନ ତ୍ୟାଗର କଥା ?
ଯୁଗଯୁଗ ପାଇଁ ସେହି ମାଆ ପାଦେ ରହିଥାଉ ଆମମଥା |
