STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଓମିକ୍ରନ

ଓମିକ୍ରନ

1 min
319

ମଣିଷଠୁ ତୁମେ ବଳିଗଲ ଆଜି 

ରୂପ ବଦଳାଇବାରେ,

ସିଂହଠାରୁ ବଳି ହିଂସ୍ର ସାଜି ତୁମେ 

ଝାମ୍ପ ଦିଅ ଶିକାରରେ। 


ଅଦେଖାରେ ଥାଇ କେତେ ଯେ ତାଣ୍ଡବ 

ରଚିଗଲ ଧରାପରେ,

ଫେରିଅଛ ପୁଣି ନବ ଶକ୍ତି ଧରି 

ବିଶ୍ୱ ବାସୀ ଭୟାତୁରେ। 


କିଏ ସେ ଦାନବ କାହା ଇଶାରାରେ 

ବ୍ୟାପିଯାଅ ସମୀରରେ,

କି ଲାଭ ପାଉଛ ପ୍ରାଣ ନେଇ ତୁମେ 

ଭୁତାଣୁ ଭରା ଅସ୍ତ୍ରରେ ।


ତୁମ ଲାଗି ଆଜି ବିରକ୍ତ ମନୁଷ୍ୟ 

ପ୍ରଶ୍ଵାସରେ ବିଷ ଭରା,

ସମ୍ପର୍କ ବି ସାଜେ ବିଷଧର ସର୍ପ 

ଛୁଇଁବା କାହାକୁ ମନା। 


ତୁମେ କି ଆସିଛ ହରି ନେଇଯିବ 

ସ୍ବାଧୀନତା ମନୁଷ୍ୟର,

ଏବେ ଏବେ ଭୟ ସବୁ ହୃଦୟରେ 

କରି ବସିଲାଣି ଘର। 


ବିଜ୍ଞାନୀ ମନୁଷ୍ୟ ହତାଶ ପରାୟେ 

ଗବେଷଣା ସିନା କରେ,

ତୁମ ଆକ୍ରମଣେ ପ୍ରତିଥର ପରି 

ନିରୁପାୟ ହୋଇ ହାରେ।


କିଏ କହେ ତୁମେ ନିୟତି ବିଶ୍ୱର 

କିଏ କହେ କର୍ମଫଳ,

କିଏ ଦିଏ ଦୋଷ ପଡୋଶୀ ଦେଶକୁ 

କିଏ କହେ କଳି କାଳ।


ଜୀବନର ଏକ ଅଙ୍ଗ ସାଜି ତୁମେ 

ଚିର ଶତ୍ରୁ ପ୍ରାୟ ରହି,

ଗଞ୍ଜଣା ଚାଲିଛ ଦେଇ ମନୁଷ୍ୟକୁ 

ଚଲାପଥେ କରି ଘାଇ। 


ଓମିକ୍ରନ ରୂପେ ଆସିଛ ଏ ସନ 

କେଜାଣି କି ଯୋଜନାରେ,

କେତେ ନେବ କେତେ ରଖିବ ଭାବିଛ 

ତାହା ତୁମ ହିସାବରେ।


ସତର୍କତା ସହ ପାଦ ଥାପି ଥାପି 

ଚାଲିବୁ ଚାଲିଛୁ ଯେହ୍ନେ,

ତୁମ ଆସିବାତ ରୋକି ହେବ ନାହିଁ 

ଭାବି ବିଧିର ବିଧାନେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract