STORYMIRROR

Bijaya Ketan Sahu

Inspirational

2  

Bijaya Ketan Sahu

Inspirational

Odia Poem : Paaika Bidroha

Odia Poem : Paaika Bidroha

1 min
2.5K


ପାଇକ ବିଦ୍ରୋହ

************

ରଚନା- ବିଜୟ କେତନ ସାହୁ

************************

ଇତିହାସ ଆଜି ଯେ ସ୍ତବ୍ଧ ଚକିତ,

       ଶୁଣି ଯାର ବୀର ଗାଥା

ଖୋର୍ଦ୍ଧା ଭୂମିପରେ ଶ୍ରଦ୍ଧା ସୁଧା ଭରେ

     ଲୋଟିଯାଏ ଲକ୍ଷ ମଥା। (୧)

ରକ୍ତ ରଞ୍ଜୀତ ଯାହାର ପୂଣ୍ୟ ଧୂଳି

        ବିଜୟ ଚନ୍ଦନଟୀକା

ପୂଣ୍ୟ ବରୁଣେଇ ପର୍ବତ ଶିଖରେ

     ପ୍ରସ୍ତରେ ବିରତ୍ବ ଲେଖା। (୨)

ବନ୍ଦନୀୟା ମାତା କଳିଙ୍ଗ ମାଟି 

         ବନ୍ଧନର ଅଭିଳାଷେ

ବିଦେଶୀ ବର୍ବର ଫିରିଙ୍ଗି ରଚିଲା

      ରକ୍ତ ଯୁଦ୍ଧ ଅବଶେଷେ। (୩)

ସଂଗ୍ରାମେ ଚପଳ ଉତ୍କଳ ସନ୍ତାନ

      ପାଇକ ନାମରେ ଖ୍ୟାତ

ଶତୃ ଦମନେ ରଣ ହୁଙ୍କାର ଦେଲେ

    ମାତୃଭୂମି ବୀର ସୁତ। (୪)

ଶଙ୍କା ଜାଗିଲା ଯେ ଫିରିଙ୍ଗି ମନରେ

   ଭାଙ୍ଗିଲା ଆସ୍ପର୍ଦ୍ଧା ମନେ

ଖୋର୍ଦ୍ଧାଗଡ଼ ହେବନାହିଁ କରାୟତ

     ବୀରମାଟି ତ୍ରିଭୂବନେ। (୫)

ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ

     ଆଦି କେତେ ବୀର ନର

ଓଡ଼ିଆ ପୁଅର ସଂଗ୍ରାମ କୌଶଳେ 

     ଇଂରେଜ ଯେ ଥରହର।(୬)

ହୀନ କୂଟନୀତି ଫିରିଙ୍ଗି ରଚିଲା

        ମ୍ଳେଚ୍ଛ ଜାତି ଦୁରାଚାରୀ,

ଚକ୍ରାନ୍ତେ ମାରିଲା କୋଟି ଦେଶପ୍ରେମୀ,

   ରକ୍ତରେ ଖେଳିଲା ହୋରୀ। (୭)

ଯୁଦ୍ଧବନ୍ଦୀ ହେଲେ ବକ୍ସି ଜଗବନ୍ଧୁ

       ମୃତ୍ୟୁକୁ ନେଲେ ଆଦରି

ନୂଆଁଇଲେ ନାହିଁ ବୀର ମଥାକୁ ସେ

   ପ୍ରାଣ ଦେଲେ ପଛେ ହାରି। (୮)

ମୃତ୍ୟୁ ଦଣ୍ଡାଦେଶେ ଜୟୀ ରାଜଗୁରୁ

         ସୁଦୂର ମେଦିନୀପୁରେ

ନିଷ୍ଠୁର ଫିରିଙ୍ଗି ଫାଶି ଦେଲା ନେଇ

     ଏ ଉତ୍କଳ ମହାବୀରେ।(୯)

ଭାରତେ ପ୍ରଥମ ମୁକ୍ତିର ସଂଗ୍ରାମ

        ଏଇ ପାଇକ ବିଦ୍ରୋହ

ଯା'ର ବୀରଗାଥା ସ୍ମରଣ ମାତ୍ରକେ

     ହୃଦରୁ ଉଠଇ କୋହ।(୧୦)

ସମୀରେ ଭାଷଇ ସମରର ସୁର

        ଏଇ ବରୁଣେଇ ଧାମ

ବୀର ପ୍ରସବୀନୀ ଖୋର୍ଦ୍ଧା ଭୂମିକୁ ମୁଁ

    କରୁଛି କୋଟି ପ୍ରଣାମ।(୧୧)

*****************

ବିଜୟ କେତନ ସାହୁ


Rate this content
Log in

Similar oriya poem from Inspirational