ଓଡ଼ିଆଣି ମହାଲକ୍ଷ୍ମୀ
ଓଡ଼ିଆଣି ମହାଲକ୍ଷ୍ମୀ


ଜୟ ଜୟ ମହାଲକ୍ଷ୍ମୀ ଶ୍ରୀକ୍ଷେତ୍ରରେ ରହୁ
ଜଗତର ଠାକୁରାଣୀ ଓଡ଼ିଆଣୀ ବୋହୁ l
ଖଣ୍ଡୁଆ ପାଟ ପିନ୍ଧୁ ମା ହାତେ ସୁନା ଖଡ଼ୁ
ସୁନାଚଟୁ ଧରି ମାଆ ନାନାଭୋଗ ବାଢ଼ୁ l
ପୟରେ ଝୁଣ୍ଟିଆ ନାଉ ନାଶାରେ ବସଣି
ଶିରେ ଜକ ଜକ ତୋର ରତ୍ନ ମଥାମଣି l
ନଣନ୍ଦ ସୁଭଦ୍ରା ସଙ୍ଗେ ସଦା ତୋର କଳି
ହସି ଦେଲେ ତାଳିମାରି ପ୍ରଭୁ ବନମାଳୀ l
ଦେଢ଼ଶୁର ସମ୍ମୁଖକୁ କେବେ ମା ନଯାଉ
ହାତେ ଓଢ଼ଣୀକୁ ଟାଣି କଥା କହୁ ଥାଉ l
ଜଗାସହ ଯେବେ ମାତ ହୋଇଯାଏ କଳି
ଜ୍ୟେଷ୍ଠସାମନ୍ତଙ୍କ ପାଶେ କରୁ ନିଉଛାଳି l
ଭଗ୍ନୀ ଭାଇ ଧରି ପ୍ରଭୁ ରଥେ ଗଲେ ବୁଲି
ଅଭିମାନେ ଶୋଇଲୁ ମା କବାଟକୁ କିଳି l
ଲାଞ୍ଚ ନେଲୁ ଆଣ୍ଟ କରି କଳାମେଘୀ ପାଟ
ଖୋଲିଦେଲୁ ସିଂହ ଦ୍ୱାର ଅମୁହାଁ କବାଟ l
ମଗୁଶିର ମାସେ ମାଆ ଘରେଘରେ ପୂଜା
ଧନ୍ୟ ଧନ୍ୟ ଲୀଳାମୟୀ ସାଗର ତନୁଜା l
ସୁଖେ କରିଥାଆ ମାତ ଶ୍ରୀକ୍ଷେତ୍ରରେ ଘର
ଲୀଳାମୟୀ ମାଆକୁ ମୋ ଶତ ନମସ୍କାର l