ନୂତନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂତନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ


ନୁହେଁ ସେ ପାଞ୍ଚାଳୀ ପାଣ୍ଡବ ଘରଣୀ
ନୁହଁ ଦୃପଦ ନନ୍ଦିନୀ ।
ମହାଭାରତର ନାୟିକା ନୁହେଁ ସେ
ଭାରତ ରାଷ୍ଟ୍ରର ରାଣୀ ।।
ରାଇରଙ୍ଗପୁର ଜଙ୍ଗଲ ମୂଳକେ
ସିଏ ବନବାସୀ ଝିଅ ।
ବଣୁଆ ମାଟିର ଟାଣୁଆ ଝିଅ ସେ
ଦ୍ରୌପଦୀ ତା ପରିଚୟ ।।
ସ୍ୱାମୀ ପୁତ୍ରହରା ଯାଜ୍ଞସେନୀ ସିଏ
ଜଳିଛି ଦୁଃଖ ନିଆଁରେ ।
ଟଳି ଯାଇନାହିଁ ଜୀବନ ସଂଗ୍ରାମୁ
ଭାଙ୍ଗିନାହିଁ ହତାଶରେ ।।
ସାଧନାରେ ସିଦ୍ଧି କର୍ମେ ଉପଲବ୍ଧି
ହୋଇ ଜନସେବା ବ୍ରତୀ ।
କାଉନସିଲରୁ ବିଧାୟକ ମନ୍ତ୍ରୀ
ରାଜ୍ୟପାଳ ରାଷ୍ଟ୍ରପତି ।।
ରାଇରଙ୍ଗପୁରରୁ ରାଇସିନା ରାଣୀ
ଓଡିଶା ମାଟିର ଝିଅ ।
କରୁଛି ସ୍ୱାଗତ ମୋ ଦେଶ ହିତରେ
ଦେବ ଜାତି ପରିଚୟ ।।