ନୁଆ ସୁଖର ଆରମ୍ଭ
ନୁଆ ସୁଖର ଆରମ୍ଭ
ଦୀର୍ଘ ୧୩-୧୪ ବର୍ଷ ଯାଇଛି ବିତି
ଲେଖିବାରେ କେବେ ହୋଇନି ଇତି
ଏବେ ନିଜ ଶବ୍ଦକୁ ମୁକ୍ତ କରିବାର ସମୟ
ଭାବନାର ଯେତେ ଭାଷା, ଚେତନାକୁ
ଜନଜନ ପାଖକୁ ପହଞ୍ଚାଇବାର ସମୟ,
ହେ ମା' ଗ୍ରାମ ଭଗବତୀ, ହେ ମହାବୀର
ହେ ମା' ଶାରଳା ହେ ପ୍ରଭୁ ଶ୍ରୀଜଗନ୍ନାଥ
ଏ ମନରେ ସଦା ରହୁ ମାଟିର ପ୍ରଭାବ
ଏ ଆତ୍ମାରେ ରହୁ ସଦା ସାହିତ୍ୟର ଭାବ
ହୋଇଛି ଏବେଏବେ ନୁଆ ସୁଖର ଆରମ୍ଭ,
ମିଳିଥିଲା ୨୦୦୯ ରେ ଲେଖିବାର ସାହସ
ମହାବିଦ୍ୟାଳୟରୁ ଶବ୍ଦ ସହ ପ୍ରକୃତ ସମ୍ପର୍କ
ବାର୍ଷିକ ପତ୍ରିକା ଦେଇଥିଲା ଏ ଆତ୍ମବିଶ୍ୱାସ
ଇଏ ତ ମୋ' ସାହିତ୍ୟ ଯାତ୍ରାର ଆରମ୍ଭ ମାତ୍ର
ଆଉ ଏ ଆରମ୍ଭ ହିଁ ଆଜୀବନ ରହିଥାଉ
ଅପୂର୍ଣ୍ଣ ରଖିଥିବ ହେ ଈଶ୍ବର ସବୁବେଳେ
ପୂର୍ଣ୍ଣତାର ଅହଙ୍କାର ମନେ କେବେ ନ ହେଉ,
ଗୋଟେ ଗୋଟେ ପାଦ ପକାଇ ଚାଲିବି
ସରିଯାଉ ଆୟୁଷ ପଛେ ମୁଁ ଲେଖୁଥିବି
ସବୁ ପାଠକ ଈଶ୍ବରଙ୍କୁ ସର୍ବଦା ପୁଜୁଥିବି
ପାଠକ ବିନା ମୁଁ ଯେ କେମିତି ବଞ୍ଚିପାରିବି
ଜଗତଠାକୁର ପାଖେ ଏତିକି ଗୁହାରୀ ମୋର
ସତ ଲେଖିବାକୁ ସାହସ ଏ ଅଧମ ମନରେ ଭର
ମାଧ୍ଯମଟିଏ ସଜାଅ ମା' ବୀଣାପାଣି ମୋତେ
ତୁମ ଦୟା ରହିଲେ ବଞ୍ଚିରହିବ ଏ ସରଳ ସ୍ୱଭାବ
ଏବେ ତ ହୋଇଛି ନୁଆ ସୁଖର ଆରମ୍ଭ।