ନଟ ଅଜାଙ୍କ ପାନ ମହିମା
ନଟ ଅଜାଙ୍କ ପାନ ମହିମା
ନଟିଆ ଅଜା ପାନ ଛେଚୁଥିଲେ
ପକାଇ ଦାନିରେ ତାର
ପାଖେ ବସିଗଲା ନାତି ଟୋକା ରବି
ହେଲା ବକର ବକର ll
ପୁରୁଣା କାଳିଆ ଲୋକ ଅଜା ତୁମେ
ଛେଚି ଖାଉଅଛ ପାନ
ଆଜି କାଲି କିଏ ପାନ ଖାଉଅଛି
ଗୁଟଖାରେ ଆମ ମନ ll
ଚୂନ ଲଗା ନାହିଁ ଛେଚା କୁଟା ନାହିଁ
ଭାଙ୍ଗିବାକୁ ନାହିଁ ବେଳ
ଜରି ଚିରିଦେଇ ପାଟିରେ ପକାଇ
ମଜ୍ଜା ନେଉ ଆମେ ତାର ll
ପାକୁଆ ପାଟିରେ ଅଜା କହିଗଲେ
ପାନ ଅଟେ ପଞ୍ଚ ରସ
ଗୁଆ, ପାନ, ଚୂନ, ଧନିଆ, ଖଇର
ଜୀର୍ଣ୍ଣ କାରକ ସେ ରସ ll
ପାନର ମହିମା ଜାଣିନାହଁ ତୁମେ
ଗୁଟଖା କର ଆଦର
କର୍କଟ ରୋଗକୁ ଆପଣାଇ ଆଣ
ଏଥିରେ ଦୋଷ କାହାର ll
ଜଗତର ନାଥ ପାନ ତ ଖାଆନ୍ତି
କୁଣିଆଁ ଚର୍ଚ୍ଚା ପାନରେ
ରଜ ମଉଜରେ ପାନର ମଉଜ
ଖାଇଛି ଯେ ଜାଣିଛିରେ ll
ମୁଖ ବାସ ବୋଲି ତାର ଅନ୍ୟ ନାମ
ପଞ୍ଚ ରସର ମିଶ୍ରଣ
ଖାଦ୍ୟ ପରେ ଯଦି ଗୋଟିଏ ଖାଇବା
ଜୀର୍ଣ୍ଣ ଶକ୍ତି ରହେ ଅକ୍ଷୁର୍ଣ୍ଣ ll
ଆଜିକାଲି ଟୋକା ଗୁଟଖା ଖାଉଛ
ପାନରେ ଜର୍ଦ୍ଦା ଖାଉଛ
ଅଳପ ଦିନରେ ଅମୁଲ୍ୟ ଜୀବନ
ଅକାରଣ କରି ଦେଉଛ ll
ଶାସ୍ତ୍ରର ସମ୍ମତ ଏହି ପାନ ରସ
ଦେହପାଇଁ ହିତକର
ଅତି ହେଲେ ନାତି ସବୁତ ଖରାପ
ବ୍ୟବହାରେ ସୀମା ତାର ll
ବୁଝିଗଲା ନାତି ଶପଥ କରିଲା
ଖାଇବି ନାହିଁ ଗୁଟଖା
ସାଙ୍ଗ ସାଥି ମେଳେ ବୁଝାଇ କହିବି
ଗୁଟଖା ଜୀବନ ନାଟିକା ll
