STORYMIRROR

Kabiratna Nutan Kumar Behera

Drama Classics

4  

Kabiratna Nutan Kumar Behera

Drama Classics

ନନ୍ଦ ଘରେ ଆନନ୍ଦ

ନନ୍ଦ ଘରେ ଆନନ୍ଦ

1 min
395

ଗୋପପୁରରେ ନାଦ

         ଶୁଭେ ବାଜା ନୃତ୍ଯ ଛନ୍ଦ,

ନନ୍ଦ ଘରେ ଆନନ୍ଦ

          ହସନ୍ତି କଳା ଗୋବିନ୍ଦ।


ଭାଦ୍ରବ କୃଷ୍ଣ ପକ୍ଷ

           ଜନ୍ମିଲେ କୃଷ୍ଣ ଶ୍ରୀମୁଖ,

ଦୂରେଇବାକୁ ଦୁଃଖ

         ଭବେ ଆସିଲେ ପ୍ରତ୍ୟକ୍ଷ।


ଯଶୋଦା କୋଳେ କାହ୍ନୁ

           ଉଦୟ ହୋଇଛି ଭାନୁ,

ବିଷାଦ ଯାଏ ମନୁ

            ପୁଲକିତ ହୁଏ ତନୁ।


ବସୁଦେବ ସାଥୀରେ

         ଦେବକୀ ଥିଲେ ବନ୍ଦୀରେ,

କଂସର କାରାଗାରେ

          ଦିବସ କାଟି ଦୁଃଖରେ।


ଅଷ୍ଟମ ଗରଭରେ

          ଜନ୍ମିଲେ ପ୍ରଭୁ ଅନ୍ଧାରେ,

ତମସା ଗଲା ଦୂରେ

        ଆଲୋକିତ ହେଲା ପୁରେ।


ଅଚେତ ହେଲେ ସବୁ

            ଜ୍ଞାନ ନ ରହିଲା ଆଉ,

ରଜନୀ ଥାଉ ଥାଉ

         ଗଲେ ଯେ ଗୋପପୁରକୁ।


ଘୋର ବରଷା ରାତି

            ବିଜୁଳିର ତୀବ୍ର ଗତି,

ଘଡ଼ଘଡ଼ି ଚମକି 

           ଥରୁଥିଲା ମହୀ ଛାତି।


ଉଗ୍ରସେନଙ୍କ ସାଥେ

         ଗୋପକୁ ଚଳିଲେ ନାଥେ,

ବୋହି ସେ ତାଙ୍କୁ ମାଥେ

        ପ୍ରଭୁଙ୍କୁ ନେଲେ ଯେ ପଥେ।


ଦେଇ ଯଶୋଦା କୋଳେ

         ଫେରି ଆସିଲେ ଚଞ୍ଚଳେ,

ବିଜୁଳି କନ୍ୟା ଖେଳେ

         ମଥୁରା ଆସି ସେ କାଳେ।


କୁଆଁ କୁଆଁ କ୍ରନ୍ଦନେ

          ନିଦ୍ରା ତେଜି ତତକ୍ଷଣେ,

ଯଶୋଦା ଖୁସି ମନେ

         ଚାହିଁ ଦେଖିଲେ ନୟନେ।


କୋଳେ ପୁତ୍ର ସନ୍ତାନ

          ସାର୍ଥକ ହେଲା ଜୀବନ,

ସ୍ନେହ ମମତା ଦାନ

        କରି ଦେଲେ ସେ ଚୁମ୍ବନ।


ଗୋପପୁର ଭୁବନେ

          ଖବର ଜାଣିଲେ ଜନେ,

ପୁତ୍ର ମୁଖ ଦର୍ଶନେ

       ମୁଗ୍ଧ ହେଲେ ମନେ ପ୍ରାଣେ।


ଉତ୍ସବ ଆୟୋଜନ

         କଲେ ଯେ ନନ୍ଦ ରାଜନ,

ରଖିବାକୁ ସମ୍ମାନ

         ମୁକ୍ତ ହସ୍ତେ କଲେ ଦାନ।


ଶ୍ରୀକୃଷ୍ଣ ବଳଦେବ

          ଦୁଇ ପୁତ୍ରେ ରଖି ଭାବ,

ପାଳି ନନ୍ଦ ଉତ୍ସବ

          ବଢ଼ାଇଲେ ଗଉରବ।


ଝରିଲା ମକରନ୍ଦ

       ନୃତ୍ୟ ଗୀତେ ତୋଳି ଛନ୍ଦ,

ନନ୍ଦ ଘରେ ଆନନ୍ଦ 

         ହସନ୍ତି କଳା ଗୋବିନ୍ଦ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama