ନିଷ୍ପେସିତର ବିଳାପ
ନିଷ୍ପେସିତର ବିଳାପ
ଗୋଟିଏ ମାଆର ସନ୍ତାନ ଆମେରେ
ସଭିଙ୍କର ସମ ଅଧିକାର
ଏକଥାକୁ କିଆଁ ନବୁଝି ମଣିଷ
ହେଉଅଛି ଏତେ ସ୍ବାର୍ଥପର
ଆନ ଚିନ୍ତା ନକରି ଅନ୍ତର
ଦେହ ସୁଖ ପାଇଁ ଅପରକୁ ଲୁଟି
ନିଷ୍ପେଷଣକୁ ଅଗ୍ରାଧିକାର ।
ଆର୍ଥିକ ଦୈହିକ ପୁଣି ମାନସିକ
ସହି ସହି କେତେ ଅତ୍ୟାଚାର
ଯାତନା ଜୁଇରେ ସଢ଼ି ସଢ଼ି ନିତି
ଶୋଷିତ ହରାଏ ଅଧିକାର
ଜୀବନରେ ନାନା ହରବର
ନିଷ୍ପେସିତ ଭାବେ ଜୀଇଁ ରହିବାକୁ
ସତେ କି ଲେଖିଛି ନାମ ତା'ର !
ହୀନ ଚକ୍ରାନ୍ତରେ ସତ ହୁଏ ମିଛ
ମିଛ ନେଇଥାଏ ସତ ରୂପ
ଅନ୍ୟାୟ ଅନୀତି ଚକ୍ରବ୍ୟୁହ ମଧ୍ୟେ
ନିଷ୍ପେସିତ କରଇ ବିଳାପ
ହଜାଇ ଦେଇ ଜୀବନ ଧୂପ
ସ୍ବାର୍ଥପର ଏହି ଦୁନିଆ ଭିତରେ
କାହା ସାଥେ କରିବ ଆଳାପ ?
ସୁଖଦୁଃଖ ବାଣ୍ଟି ଚଳିବା ପାଇଁକି
ଜନମ ଆମର ଏ ମରତେ
ଉଚିତ୍ ନୁହେଁ କି ଏକଥା ବୁଝିବା
ପ୍ରତ୍ୟେକ ମାନବ ହୃଦଗତେ ?
ମୟା ଦେହ ପାଇଁ ଲୋଭ ଏତେ
ଆନ କଷ୍ଟ ଦେଖି କଷ୍ଟ କି ମିଳେନି
ନିଜ ଅନ୍ତରକୁ କୁହ ସତେ ?
