ନିରବତା
ନିରବତା
ନିରବତା............
-----------------------------------------
ବେଳେ ବେଳେ ହୁଏ ବଡ଼ ଆଶ୍ଚର୍ଯ୍ୟ ଚକିତ,
କିଛି କଥା ଲୁଚି ଯାଏ, କରେ ସେ ବ୍ୟଥିତ.
ଭାବର ପ୍ରକାଶ ନ ହୁଏ ଯେବେ ଶବ୍ଦରେ,
ମନ ବୁଝେ ମନ କଥା ଆଖିର ଠାରରେ.
ଶବ୍ଦଭେଦି ବାଣ ପରି ଭେଦଇ ଅନ୍ତର,
ନିଶବ୍ଦ ରେ କହିଯାଏ ଭାବକୁ ମନର.
ବେଦନାର ଭାରାକ୍ରାନ୍ତ ହୃଦୟ କୁହଇ,
ଯନ୍ତ୍ରଣା କୁ ଦିଅଇ ସେ ବୁକୁରେ ଲୁଚାଇ.
ସମୟର ଚକ୍ର ସତେ ଶବ୍ଦକୁ ନାଶଇ,
କିବା ମନେ ମନେ କିଛି ଶବ୍ଦକୁ ଖୋଜଇ.
ମନ ଉପବନ ହୁଏ କି କ୍ଷତ ବୀକ୍ଷତ !
ଏହା କି ନିରବତାର ଅଟେ ଏକ ସତ୍ୟ???
ସାଗରର ନୀଳ ଢେଉ ଶାନ୍ତ ଓ ସୁନ୍ଦର,
କିନ୍ତୁ ବେଳେ ବେଳେ ଦେଖି ଲାଗଇ ତ ଡର.
ଯେବେ ସେ କୁଳ ଲଙ୍ଘଇ, ରଚାଇ ପ୍ରଳୟ,
ସ୍ତବ୍ଧ ହୁଏ ଦେଖି ତାକୁ କ୍ଷଣକେ ସମୟ.
ଥିଲା ସେ ଶାନ୍ତ ସୁନ୍ଦର ଢ଼େଉକୁ ନଚାଇ,
ଅଶାନ୍ତ ହେଲା ବିଭତ୍ସ ରୁପକୁ ଦେଖାଇ.
କିଏ କହେ ଝଡ଼ ତାକୁ ନେଲା ତ ବୁହାଇ,
କିଏ କହେ ଯନ୍ତ୍ରଣା ହେଲା ବୁକୁ ଫଟାଇ.
ସବୁ ନଦୀ ନାଳ କୁ ସେ ଆଦରି ତ ଥିଲା,
ସବୁ ପାପ ଆବର୍ଜନା ତା ଗର୍ଭେ ଧରିଲା.
ତଥାପି ସେ କେବେ କହିନାହିଁ ଶବ୍ଦ କିଛି,
ଅତିଶୟ ହୋଇ ସେ ନିରବତା ଭାଙ୍ଗିଛି...
ଏବେ କିଛି ବୁଝି ହୁଏ କିଛି ହୁଏ ନାହିଁ,
ସବୁ ଗତି ବିଧି ବଡ଼ ଆଶ୍ଚର୍ଯ୍ୟ ଲାଗଇ.
ଦୁନିଆର ସବୁ ଜୀବ ଜନ୍ତୁଙ୍କ ପକୃତି,
ସେ ଡୋରକୁ ତ ଧରିଛି କେବଳ ନିୟତି.
ବିଧାତା ତ ରଚିଛି ସୃଷ୍ଟି ସଭିଙ୍କ ପାଇଁ,
ନିର୍ଦ୍ଧାରିତ ଲକ୍ଷ୍ୟ, କର୍ମ ସମ୍ପାଦନା ପାଇଁ.
କର୍ମ କିନ୍ତୁ ସଭିଙ୍କର ପୃଥକ ଅଟଇ,
ମାର୍ଗ ତ ସଭିଙ୍କୁ ଅନୁରୂପେ ସେ ଧରାଇ.
କେବେ କେବେ କର୍ମ ଓ ବାକ୍ୟ ନିଜେ ଯୁଝନ୍ତି,
ସେଥିପାଇଁ ନିଜ ଲକ୍ଷ୍ୟ ପଥକୁ ଭୁଲନ୍ତି.
ବାଟବଣା ହୋଇ ସବୁ ଶବ୍ଦକୁ ଭୁଲନ୍ତି,
ତେବେ କେବେ ବୁଝିବାର ଭ୍ରମ ବି ନ କର,
ସମୟ କୁ ବି କେବେ ଆଖିଠାର ନ ମାର.
ଯଦି କେବେ କିଛି ଶବ୍ଦର ନ ହୁଏ ଜନ୍ମ,
ଚିନ୍ତନର ହୋଇପାରେ ସେ ବି କିଛି କର୍ମ.
ବେଳେ ବେଳେ ସହି ହୁଏ ଅନେକ ଯନ୍ତ୍ରଣା,
ଭୋଗିବାକୁ ହୁଏ କେବେ ଅନେକ ଯାତନା.
ଅଶ୍ରୁ ଜଳେ ଲିଭି ଯାଏ ଯେବେ କିଛି ଶବ୍ଦ,
ଅବା ଅହଙ୍କାରେ ଦବି ହୁଅଇ ନିସ୍ତବ୍ଧ.
କେବେ ପୁଣି ଆନନ୍ଦେ ହୋଇ ବି ଆତ୍ମହରା,
ଭାବରେ ହଜିଯାଏ ଶବ୍ଦ, ନ ଦିଏ ଧରା.
ଏ ସବୁ ନିରବତା ତ କିଛି କହିଥାଏ.
କିଛି ନିରବତା ପରେ ଝଡ଼ ଆସିଥାଏ...
ନିରବତା ଏକ ଶାନ୍ତିର ଅଟେ ପ୍ରତୀକ,
ନିରବତା ଅଟେ ଶ୍ରୁତିର ଏକ ସୂଚକ.
ନିରବତା କରେ ମନେ ଭକ୍ତିର ଉଦ୍ରେକ,
ନିରବତା ରେ ଲିପ୍ତ ସାଧୁ ପୁଣି ସାଧକ.
ନିରବତା ଏକ ସ୍ୱୟଂ ସିଦ୍ଧିର ସାଧନା,
ନିରବତା ଦିଏ ଶୃଙ୍ଖଳାର ବଡ଼ ଜ୍ଞାନ.
ନିରବତା କରେ କିଛି ଅର୍ଥ ବିଶ୍ଳେଷଣ,
ନିରବତା ପୁଣି କରେ କିଛି ଆକର୍ଷଣ.
ନିରବତା ନୁହେଁ ଦୁର୍ବଳତାର ଲକ୍ଷଣ,
ନିରବତା ନୁହେଁ ମିତ୍ରତାର ଅପମାନ.
ନିରବତା ଦେଖି କେବେ କରନାହିଁ ଭ୍ରମ,
ନିରବତା ମଧ୍ୟେ ଅଛି ବି ଶବ୍ଦର ମର୍ମ.....
